ଦାଦାନ ପ୍ରବଣ ଅଂଚଳରେ ଅନ୍ୟ ରାଜ୍ୟରୁ ଆସି ଲୋକେ ପେଟ ପୋଷୁଛନ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ନିଜ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥାଆନ୍ତି । କେତେବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଯାଆନ୍ତି ଓ ଆଉ କେତେବେଳେ ଦାଦନ ଶ୍ରମିକ ଶବ ହୋଇ ଭିଟାମାଟିକୁ ଫେରିଥାଆନ୍ତି । ଆଉ କେତେବେଳେ ଦାନା ମୁଠାଏ ପାଇଁ ମା’ ପିଲା ବିକ୍ରି କରି ଥାଏତ, ଆଉ ଚାଷୀ ଧାର କରଜ ସୁଝି ନ ପାରି ଆତ୍ମହତ୍ୟା କରିଥାଏ । ତେବେ କାମ ମିଲୁନ ଥିବା ଅଭିଯୋଗ କରନ୍ତି ଦେଶୀ ପୁଅ । ବାଧ୍ୟ ହୋଇ ଲୋକେ ବାହାର ରାଜ୍ୟକୁ କାମ ଧନ୍ଦା କରିବାକୁ ଯାଆନ୍ତି । ଦାଦନ ବାଲାଣ ତାଲିକାର ସବୁଠୁ ଆଗରେ ତୁରେକେଲା, କଂଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା, ଖପ୍ରାଖୋଲ, ବଲାଙ୍ଗିର ଓ ପାଟଣାଗଡ ଅଂଚଳ । ଅନ୍ୟ ପକ୍ଷରେ ଦେଖିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲାକୁ ବାହାର ରାଜ୍ୟର ଲୋକେ ଆସି ଆତ୍ମନିର୍ଭର ହେଉଛନ୍ତି । ବର୍ଷ ତମାମ ବିଭିନ୍ନ ବ୍ୟବସାୟ କରି ଭଲ ଆୟ କରୁଛନ୍ତି । ତେବେ ସଇଁନ୍ତଲା ବ୍ଲକର ବିଭିନ୍ନ ସ୍ଥାନରେ ଯାଯାବର ମାନେ ଆସି ତମ୍ବୁ ମାରି ରହିଛନ୍ତି । ଅନେକ ଯାଯାବର ମାନେ ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରତେକ ଗାଁ ଗାଁକୁ ନେଇ ବିକ୍ରି କରୁଛନ୍ତି । ପଶ୍ଚିମବଙ୍ଗ ଅଂଚଳର ଯୁବକ ମାନେ ଗାଁ ଗାଁରେ ବୁଲି କମ୍ବଳ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଅନ୍ୟ ରାଜ୍ୟର ଲୋକେ ଏଠାରେ ଛୋଟ ବଡ଼ ବ୍ୟବସାୟ କରି ଆତ୍ମନିର୍ଭର ହେଉଛନ୍ତି । ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଉଦ୍ୟମୀ ଯୁବକଙ୍କୁ ଚିହ୍ନଟ କରି କୁଟୀର ଶିଳ୍ପ ପାଇଁ ପ୍ରଶିକ୍ଷଣ ପ୍ରଦାନ କଲେ ସେମାନେ ଆତ୍ମନିର୍ଭର ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହା ସହିତ ଜଳସେଚନ ସୁବିଧା ଯୋଗାଇ ଦେଲେ ଦାଦନ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଉଛି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମତ ଦେଇଛନ୍ତି ଯେ, ଶ୍ରମ ବିଭାଗରେ ୩୪୮ଜଣ କର୍ମଚାରୀ ଅଭାବ ଥିବା ବେଳେ ଏଭଳି କିଛି ସମସ୍ୟା ହେଉଛି, ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.