
ବେଲପଡ଼ା, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶାର ଜନଦାବୀ ଭାବେ ପରିଣତ ହେଲାଣି ଏମ୍ସ୍ ଦାବୀ ପ୍ରସଙ୍ଗ । ଆଜି ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲା ବାହାରେ ଆନ୍ଦୋଳନ ହେଉଥିବା ଖବର ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ୍ ପ୍ରତିଷ୍ଠା ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲାରୁ ଆୱାଜ ଉଠିଛି, ବଲାଙ୍ଗିର ଜିଲ୍ଲା ବେଲପଡ଼ା ତହସିଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି କୋଶଲ କମିଟି । ଦାବୀପତ୍ରରେ ଦର୍ଶାଯାଇଛି ଯେ, ପଶ୍ଚିମ ଓଡ଼ିଶା ସବୁକ୍ଷେତ୍ରରେ ଅବହେଳାର ଶିକାର ହେଉଛି, ସ୍ୱାସ୍ଥ୍ୟ ଶିକ୍ଷା, ଗମନାଗମନ ସବୁକ୍ଷେତ୍ରରେ ପଛୁଆ ଥିବା ଅଞ୍ଚଳ ଭାବେ ପରିଗଣିତ ହେଉଛି ପଶ୍ଚିମ ଓଡ଼ିଶା, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦେଖିଲେ ବୁର୍ଲା ଭୀମସାର ହିଁ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ମେରୁଦଣ୍ଡ କିନ୍ତୁ ପଶ୍ଚିମ ଓଡ଼ିଶାର ୨ କୋଟି ଜନସାଧାରଣ ପାଇଁ ବୁର୍ଲା ଭୀମସାର ଯଥେଷ୍ଟ ନୁହେଁ ଏଣୁ ସୁନ୍ଦରଗଡ଼ଠାରେ ଦ୍ୱୀତିୟ ଏମ୍ସ୍ ପ୍ରତିଷ୍ଠା ପାଇଁ ଦାବୀ ଜୋର ଧରିଛି, ପୂର୍ବରୁ ରାଜ୍ୟ ସରକାର ଏନେଇ କେନ୍ଦ୍ର ପାଖରେ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଗ୍ରଗତି କରାଇବା ନେଇ ସମସ୍ତ ସାଂସଦ ଦାବୀ କରନ୍ତୁ ବୋଲି ମଧ୍ୟ କୋଶଲ କମିଟି ଦାବୀ କରିଛି । ଆଜିର ଏହି ଦାବୀପତ୍ର କାର୍ଯ୍ୟକ୍ରମରେ କୋଶଲ ଯୁବ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ଅଚ୍ୟୁତ ଖମାରୀ, ଗିରିରାଜ ଭୋଇ, ଜିଲ୍ଲା ସଭାପତି ବନମାଳି ନାଏକ, ଜିତୁ ନାଏକ, ବିିଟୁ ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ ।