“ମୋ ଜଙ୍ଗଲ ଜମି ଯୋଜନା”ରେ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ “ମୋ ଜଙ୍ଗଲ ଜମି ଯୋଜନା” କାର୍ଯ୍ୟକାରୀ ହେବା ପରଠାରୁ ଅଦ୍ୟାବଧି କାହାରିକୁ ପଟ୍ଟା ଦିଆଯାଇ ପାରିନାହିଁ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକ ଜଙ୍ଗଲ ଅଧିକାର କମିଟି ସମୂହ ତରଫରୁ ବ୍ୟକ୍ତିଗତ, ଗୋଷ୍ଠିଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ପଟ୍ଟା ପ୍ରଦାନ ଦାବିରେ ଆଜି ଲୋଇସିଂହା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ(ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ -୨୦୦୬ ତଥା ସଂଶୋଧିତ ନିୟମାବଳୀ -୨୦୧୨) ଅନୁସାରେ “ମୋ ଜଙ୍ଗଲ ଜମି ଯୋଜନା” ଅଧୀନରେ ବ୍ୟକ୍ତିଗତ, ଗୋଷ୍ଠିଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ଗୁଡ଼ିକ ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ନିକଟରେ ଦୀର୍ଘଦିନରୁ ଦାଖଲ କରାଯାଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିରୋନାମା ଦିଆଯାଇ ପାରିନାହିଁ । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥା ଗୋଷ୍ଠିଗତ ପଟ୍ଟା ପ୍ରଦାନ ଦିଗରେ ଅହେତୁକ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଲୋକଙ୍କ ସର୍ବନିମ୍ନ ମୌଳିକ ଅଧିକାର ତଥା ଆବଶ୍ୟକତାକୁ ଆଖି ଆଗରେ ଉପରୋକ୍ତ ଦାବିଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ପୂର୍ବରୁ ଲିଖିତ ଭାବେ ଅକ୍ଟୋବର ୧୫ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ତେବେ କୌଣସି ପଦକ୍ଷେପ ନିଆଯାଇ ନ ଥିବାବେଳେ ଜଙ୍ଗଲ ଅଧିକାର ଆଇନକୁ ଜାଣିଶୁଣି ଅଣଦେଖା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଜଙ୍ଗଲ ଅଧିକାର ଆଇନର ଧାରା -୭ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସକାଶେ ଦାବି କରାଯାଇଛି । ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିର ସଭାପତି ରାଧାକାନ୍ତ ନାୟକ, ସମ୍ପାଦକ ଚୈତନ୍ୟ ବାଗ, ଉପସଭାପତି ମୋତିରାମ ବରିହା, କୈଳାସ ବରିହା, ସୋମନାଥ ପଟେଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.