oom

ଗୋଚର ଜମି ଉଚ୍ଛେଦ ପ୍ରତିବାଦରେ ତହସିଲ ଅଫିସରେ ଗ୍ରାମବାସୀଙ୍କ ଧାରଣା : ପ୍ରତିଶୃତି ପରେ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଭଦ୍ରା ପଞ୍ଚାୟତ ଅଧୀନ ସ୍ଥିତ ଖାସବାହାଲ ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଜବର ଦଖଲ କରିଥିବା ପ୍ରତିବାଦରେ ଗ୍ରାମବାସୀମାନେ ସଇଁତଲା ତହସିଲ ଅଫିସ ଠାରେ ଧାରଣାରେ ବସିଥିଲେ । ଘଟଣାର ଖବର ପାଇଁ ସଇଁତଲା ତହସିଲଦାର ଆଶିଷ ଏକ୍କା, ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଓ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପହଂଚି ଉତ୍ତେଜିତ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଜା କରିବା ସହ ୧ ମାସ ମଧ୍ୟରେ ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହ୍ଲାଇ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଖାସବାହାଲ ଠାରେ ଥିବା ୧୯ ଏକର ସରକାରୀ ଗୋଚର ଜମିକୁ କିଛି ଲୋକ ଜବର ଦଖଲ କରି ନିଜ ଅକ୍ତିଆରରେ ରଖିଥିବା ଯୋଗୁଁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗାଈ ଗୋରୁ ଚରିବା ପାଇଁ ମଧ୍ୟ ସ୍ଥାନଟିଏ ନାହିଁ । ଜମିରେ ଗାଁର ଯୁବକମାନେ ଖେଳକୁଦ କରୁଥିବା ବେଳେ ସେହି ସ୍ଥାନରେ ଏକ ଘର ନିର୍ମାଣ କରାଯାଇଛି ବୋଲି ଗ୍ରାମବାସୀ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ସେହିପରି ଗୋଚର ଜମିରେ ବଲାଙ୍ଗିର ସାଂସଦଙ୍କ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁଦାନରେ ସଇଁତଲା ବ୍ଲକ ସାଂସଦଙ୍କ ପ୍ରତିନିଧିଙ୍କ ପୁଅ ନାମରେ କାର୍ଯ୍ୟାଦେଶ ପ୍ରଦାନ କରି ବିନା ମାଟି କାର୍ଯ୍ୟରେ ୩ ଲକ୍ଷରୁ ଅଧିକ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଥିଲେ । ଏହି ଘଟଣାର ପ୍ରତିବାଦରେ ଗ୍ରାମବାସୀ ଗୋଚର ଜମି ଜବର ଦଖଲକାରୀମାନଙ୍କୁ ଉଚ୍ଛେଦ କରାଯାଉ ଓ ଗୋଚର ଜମିକୁ ବିଦ୍ୟାଳୟ ଖେଳ ପଡିଆ ନାଁରେ ନାମିତ କରାଯାଉ ବୋଲି ଗ୍ରାମବାସୀମାନେ ଧାରଣାରେ ବସିଥିଲେ । ଯଦି ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଗ୍ରାମର ନରେନ୍ଦ୍ର ସାହୁ, ପାଣ୍ଡବ ସାହୁ, ରମାକାନ୍ତ ସାହୁ, ଆକାଶ ଯାନୀ, ତୁଳସୀ ସାହୁ, ରାଜୁ ସାହୁ, ଜଳନ୍ଧର ନାଗ, ହେମାଶଙ୍କର ନାଗ, କୈଳାଶ ସାହୁ, ସଞ୍ଜିତ ରଣା, ରିଙ୍କୁ ରଣା, ସୁବାଷ ସାହୁ, ପ୍ରଫୁଲ୍ଲ ସାହୁ, ସନ୍ୟାସୀ ସାହୁ, ବିଜୁ ସାହୁ, ଯୁଗଳ କିଶୋର ରଣା, ନିତ୍ୟାନନ୍ଦ ରଣା, କୁରୁକ୍ଷେତ୍ର ସାହୁ, ହୁତାସନ ସାହୁ, ଦୀପ୍ତିଲାଲ ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.