ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ସମାବେଶ : ୧୮ ଦଫା ଦାବିପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ବିଶ୍ୱ ଆଦିବାସୀ ଦିବସ । ଏହି ଦିବସ ପାଳନ କରି ଆଦିବାସୀଙ୍କ ହକ୍‌ ଓ ନ୍ୟାୟ ପାଇଁ ଏକଜୁଟ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା । ଏହି ଅବସରରେ ଖପ୍ରାଖୋଲ ଆଦିବାସୀ ସଂଘ ପକ୍ଷରୁ ଖପ୍ରାଖୋଲ ଠାରେ ଏକ ବିଶାଳ ପାରମ୍ପରିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ସ୍ଥିତ ନିୟନ୍ତ୍ରିତ ଉପବଜାର କମିଟି ଠାରୁ ଆରମ୍ଭ କରି ଶହ ଶହ ଆଦିବାସୀ ଖପ୍ରାଖୋଲ ଗ୍ରାମ ପରିକ୍ରମା କରି ପାରମ୍ପରିକ ବେଶଭୁଷା ସହ ପରମ୍ପରା ଅସ୍ତ୍ରଶସ୍ତ୍ର ଧରି ନାଚି ଉଠିଥିଲେ । ପରିକ୍ରମା ପରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ୧୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ବିଶ୍ୱ ଆଦିବାସୀ ଦିବସକୁ ସରକାରୀ ସ୍ତରରେ ପାଳନୀୟ ଦିବସ ରୂପେ ସରକାର ଘୋଷଣା କରନ୍ତୁ, ଶହୀଦ ମାଧୋ ସିଂ ବରିହା ଏବଂ ଧରମ ସିଂ ମାଝୀଙ୍କୁ ପ୍ରତ୍ୟେକ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରାଯାଉ, ସରକାରୀ ଜମିରୁ ଆଦିବାସୀ ମାନଙ୍କୁ ବିତାଡିତ ନକରି ବସବାସ କରୁଥିବା ଏବଂ ଜବର ଦଖଲ କରିଥିବା ଜମି ମାନଙ୍କ ପଟ୍ଟା ଦିଆଯାଉ, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ, ଆଦିବାସୀ ଆଶ୍ରମ ଏବଂ କନ୍ୟାଶ୍ରମ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉ, ଆଦିବାସୀ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଛାତ୍ରୀ ମାନଙ୍କ ଉପରେ ହେଉଥିବା ଶାରୀରିକ ନିର୍ଯ୍ୟାତନା ବନ୍ଦ କରି ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ୧୯୮୯କୁ ସଠିକ୍‌ ଭାବେ ଲାଗୁ କରାଯାଉ । ଏହିପରି ଆହୁରି ଅନେକ ଦାବି ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଗୋଣ୍ଡୱାନା ଛାତ୍ର ସଂଗଠନ ସଭାପତି ତନ୍ତ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଏହି ସମାବେଶରେ ବିପ୍ର ବିଶି, ପଦ୍ମ ସିଂ ବରିହା, ଚଉବନ ମାଝୀ, ବସନ୍ତ ନାଗ, ପୂର୍ଣ୍ଣଚନ୍ଦ୍ର ଭୋଇ, ନିହାର ରଞ୍ଜନ ଭୋଇ, ନୀଳାମ୍ବର ଭୋଇ, ନାରାୟଣ କିସାନ, ସତ୍ୟଭାମା ମାଝୀ, ସତ୍ୟ ଭୋଇ, ଯଶୋବନ୍ତ ବରିହା, ଗୁପ୍ତେଶ୍ୱର କୁଅଁର, ଲକ୍ଷ୍ମୀ ଶବର, ଶଶୀରେଖା ଧରୁଆ, ହେମବତୀ ମାଝୀ, ସୁବାଷ ଧରୁଆ, ଦେବରାଜ ବରିହା, ଯଦୁମଣି ବରିହା, ଶଶିକାନ୍ତ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.