ଐତିହାସିକ କୃଷକ ସମାବେଶରେ ପ୍ରଥମ କରି ୧୨ ଦଫା ଦାବୀ ନେଇ ସମ୍ବଲପୁରୀ-କୋଶଲି ଭାଷାରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି ଓ କୃଷକର ଦେଶ ଭାରତ କୃଷକଙ୍କ ଉନ୍ନତି ବିନା ଦେଶର ପ୍ରଗତି ସମ୍ପୂର୍ଣ୍ଣ ଅସମ୍ଭବ । ଏନ୍ଏସ୍ଏସ୍ଏସ୍ର ରିପୋର୍ଟ ଅନୁସାରେ ଭାରତ ବର୍ଷରେ କୃଷକଙ୍କ ଆୟ ମାସକୁ ୧୦,୫୦୦ ଟଙ୍କା ଥିବା ବେଳେ ଓଡ଼ିଶାର କୃଷକ ସବୁଠାରୁ ଗରିବ ମାସକ ଆୟ ୫୧୧୨ ତାହାପୁଣି କୃଷିଜାତ ଦ୍ରବ୍ୟରୁ ୧୬୫୯ ଟଙ୍କା ଅଟେ ବା ଦିନକୁ ୬୦ ଟଙ୍କାରୁ ମଧ୍ୟ କମ୍ । ଏତିକି ସ୍ୱଳ୍ପ ଆୟରେ ଘର ଚାଲିବ କେମିତି ? କେନ୍ଦ୍ର ସରକାର ୨୦୦୪ରେ ଚାଷୀ ଆତ୍ମହତ୍ୟା କାରଣ ଓ ନିରାକରଣ ଖୋଜି ବାହାର କରି ସମାଧାନ କରିବା ପାଇଁ ଏମ୍ଏସ୍ ସ୍ୱାମୀନାଥନ କମିଟି ଗଠନ କରିଥିଲେ ସ୍ୱାମୀନାଥନ କମିଟି ଆତ୍ମହତ୍ୟା ପାଇଁ ସରକାରମାନଙ୍କ ଭୁଲ କୃଷି ନୀତିକୁ ଦାୟୀ କରିଥିଲେ ଏବଂ ସମାଧାନ ପାଇଁ ଫସଲର ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ମୂଲ୍ୟ ଦେବା ପାଇଁ ସରକାରମାନଙ୍କୁ ପ୍ରସ୍ତାବ ଦେଇଥିଲେ । ତତ୍କାଳୀନ ସରକାର ତାହାକୁ କାର୍ଯ୍ୟକାରୀ କେଲେ ନାହିଁ, ବର୍ତ୍ତମାନର ସରକାର ନିର୍ବାଚନୀ ଇସ୍ତାହାରରେ ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ କରିବାର ଘୋଷଣା କରିଥିଲେ କିନ୍ତୁ କଲେନାହିଁ । ୨୦୧୬ ମସିହାରେ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଇଗୁଣ ତ ଦୂରର କଥା ଉତ୍ପାଦନ ମୂଲ୍ୟ ମିଳିନାହିଁ । ବରଂ ଖର୍ଚ୍ଚ ଦୁଇଗୁଣ ହୋଇଛି ।ଓଡିଶା ସରକାର ୨୦୧୮ ମାର୍ଚ୍ଚ ୨୫ ତାରିଖ ପବିତ୍ର ବିଧାନସଭା ଗୃହରେ ଓଡ଼ିଶାର ଚାଷୀଙ୍କ ଧାନ ଉତ୍ପାଦନ କ୍ୟୁଣ୍ଟାଲ ପ୍ରତି ଖର୍ଚ୍ଚ ୨୩୬୫ଟଙ୍କା ହେଉଥିବା ଆକଳନ କରି ଚାଷୀମାନଙ୍କୁ ନ୍ୟାୟ ଦେବା ପାଇଁ ଧାନ କ୍ୟୁଣ୍ଟାଲ ୨୯୩୦ କରିବାକୁ ସର୍ବସମ୍ବତ ନିଷ୍ପତ୍ତି ନେଇଥିଲେ । ଆଶ୍ଚର୍ଯ୍ୟର ପ୍ରସଙ୍ଗ ଏହି କି ଯେ, ୫ ବର୍ଷରୁ ଅଧିକ ହେବ ପ୍ରଧାନମନ୍ତ୍ରୀ ସହିତ ଏହି ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇ ପାରିନାହିଁ । ଯଦି ରାଜ୍ୟ ସରକାରଙ୍କ କୃଷକମାନଙ୍କ ପ୍ରତି ଆନ୍ତରିକତା ଥାନ୍ତା ତାହା ହେଲେ କ୍ୟୁଣ୍ଟାଲ ପ୍ରତି ବୋନସ ଦେଇ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଥାନ୍ତେ । ସ୍ୱାଧୀନ ଭାରତରେ ଭୋକର ଭୋଗଲରୁ ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ରପ୍ତାନୀ ଦେଶ, ରାଜ୍ୟ ଭାବେ ପରିଗଣିତ ହୋଇପାରିଛୁ । କାରଣ କୃଷକମାନଙ୍କ ଅକ୍ଲାନ୍ତ ପରିଶ୍ରମ ନିଷ୍ଠାପର ଦେଶ ସେବା ଏବଂ ନିଃସ୍ୱାର୍ଥପର କାର୍ଯ୍ୟ ପାଇଁ ଆଜି ଦେଶ ରାଜ୍ୟ ଗର୍ବିତ ।ହେଲେ ମୁଣ୍ତର ଝାଳ ତୁଣ୍ଡରେ ମାରି ହାଡଭଙ୍ଗା ପରିଶ୍ରମ କରି ଚାଷୀ ଫସଲର ଉଚିତ୍ ମୂଲ୍ୟ ନ ପାଇବା ଦୁର୍ଭାଗ୍ୟଜନକ ଅଟେ । ଫଳରେ ଚାଷୀ ଚାଷ ଛାଡ଼ୁଛି ନ ହେଲେ ଆତ୍ମହତ୍ୟା କରିଥିବା ପାଇଁ ବାଧ୍ୟ ହେଉଛି । ଓଡିଶାର ଭାତ ହାଣ୍ଡି ଭାବେ ବରଗଡ଼ ଜିଲ୍ଲା ପରିଚିତ ଥିବା ବେଳେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଦାଦନ ଅଞ୍ଚଳ ଭାବେ ଗଣିତ କାହିଁକି ? ଅସଙ୍ଗଠିତ କୃଷକ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଅସାଧୁ କର୍ମଚାରୀ ଲାଭଖୋର ଅସାଧୁ ବ୍ୟବସାୟୀମାନଙ୍କ କାରଣରୁ ସରକାରୀ ଯୋଜନାଗୁଡିକ ଠିକ୍ ଭାବରେ ପ୍ରତିଫଳିତ ହୋଇପାରୁ ନାହିଁ । ଏଥିପାଇଁ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ କୃଷକ ଏବଂ ଶ୍ରମିକମାନଙ୍କ ହକ ଅଧିକାର ପାଇଁ ବିରାଟ ଚାଷୀ ଶ୍ରମିକ ଚେତାବନୀ ସମାବେଶ କରି ସରକାରମାନଙ୍କୁ ଚାପ ଦିଆଯିବା ପାଇଁ ସଭାରେ ମତପ୍ରକାଶ ପାଇଛି । ଏହି ସମାବେଶରେ ବକ୍ତାମାନେ କେନ୍ଦ୍ର ରାଜ୍ୟ ସରକାରଙ୍କ ଭୁଲ କୃଷି ଏବଂ ଶ୍ରମିକମାରଣ ନୀତି ପ୍ରସଙ୍ଗରେ କଟୁ ସମାଲୋଚନା କରିଥିଲେ । ଆଗାମୀ ଦିନରେ ଯଦି ସରକାର ବା ରାଜନୈତିକ ଦଳମାନେ କୃଷକ ଶ୍ରମିକ ଓ ଗ୍ରାମ ଅର୍ଥନୀତି ପ୍ରସଙ୍ଗ ତାଙ୍କରି ନିର୍ବାଚନୀ ଏଜେଣ୍ଡା ନ ହୁଏ ତାହା ହେଲେ ଗାଁ ଗାଁରେ ନେତାମାନଙ୍କୁ ପ୍ରଶ୍ନ କରିବା ପାଇଁ ସମାବେଶରେ ଲୋକମାନଙ୍କୁ ଆହ୍ବାନ କରାଯାଇଛି । ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ତରଫରୁ ହାଇସ୍କୁଲ ମିନିଷ୍ଟାଡିୟମ ପଡ଼ିଆରେ ହଜାର ହଜାର କୃଷକ ଶ୍ରମିକ ଏକତ୍ରିତ ହୋଇ ଗୀତ ନାଚ ସହିତ କୃଷି କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଧରି ଅତି ଉତ୍ସାହର ସହିତ ଟାଉନ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚି ଥିଲେ । ସଙ୍ଗଠନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ୧୨ ଦଫା ଦାବୀପତ୍ର ତହସିଲଦାର ଟିଟସ ମହନନ୍ଦିଆଙ୍କର ମାଧ୍ୟମରେ ପ୍ରଦାନ କରିଛନ୍ତି । ସଙ୍ଗଠନ ଦାବୀଗୁଡିକ ମଧ୍ୟରେ ସବୁ ଜମିକୁ ଜଳସେଚନ (ଲୋୟର ସୁକତେଲରୁ ୧୦ଟି ଗ୍ରାପ ଓ ହୀରାକୁଦରୁ ବାକି ପଂଚାୟତର ଜମିକୁ ପାଣି ପ୍ରଦାନ) ସବୁ କୃଷକ ଏସ୍ଏଚ୍ଜି ଗୃପର ଋଣ ଛାଡ, ବାକେୟା ବିଦ୍ୟୁତ ବିଲ ଛାଡ଼ ୩୦୦ ୟୁନିଟ ମାଗଣା ଓ କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ମାଗଣା, ବିଗତ ବର୍ଷର ବୀମା ମରୁଡ଼ି ସହାୟତା ପ୍ରଦାନ, ଲଘୁବନ୍ୟାଜନିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ଓ ବଜାର ବ୍ୟବସ୍ଥା, ଶୀତଳ ଭଣ୍ଡାର ଗୋଦାମ ଗୃହ ନିର୍ମାଣ, ବନ୍ୟଜନ୍ତୁ କ୍ଷୟକ୍ଷତି କଲେ କ୍ଷତିପୂରଣ, ଧାନ କ୍ୱିଣ୍ଟାଲ ୪ ହଜାର ଟଙ୍କା, ଗୁଣାତ୍ମକ ଶିକ୍ଷା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପଦ୍ମପୁରକୁ ଜିଲ୍ଲା ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନୀ ମାନ୍ୟତା ସହିତ କୋଶଳ ରାଜ୍ୟ ଗଠନ ପ୍ରଭୃତି ଦାବୀ ପୁରାଣ ନ କଲେ ରାଜନୈତିକ ଦଳମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସମାବେଶରେ ଚେତାବନୀ ଦେଇଛନ୍ତି । ଏହି ସଭାରେ ସଭାପତି ଅରବିନ୍ଦ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗଜପତି ସାହୁ ମଞ୍ଚ ପରିଚାଳନା କରିଥିଲେ । ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକ, ଚାଷୀନେତା ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଅଜିତ ଶତପଥି, ଲିଙ୍ଗରାଜ ପଧାନ, ଉତ୍ପନ କୁମାର ଭୋଇ, ସତ୍ୟ ବନଛୋର, ସୌରୀ ସାହୁ, ବିରେନ୍ଦ୍ର କର, ଶଶୀ ଭୂଷଣ ସାହୁ, ଶାନ୍ତନୁ ସାହୁ, ପ୍ରଭାତ ସାହୁ, କୁଞ୍ଜ ବିହାରୀ ପଧାନ, ଧନପତି ସାହୁ, ବୀରବଲ ମହାକୁର, ସୁଶୀଲ ଗୁରୁ, ସରୋଜ ସାହୁ ଶିବୁ ପ୍ରସାଦ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆନନ୍ଦ ପଧାନ, ବିରେନ୍ଦ୍ର ପଧାନ, ରୋହିତ ପଧାନ, ମୋହନ ସିଂ ବରିହା, ବିରେନ୍ଦ୍ର ସାହୁ, ପିତାମ୍ବର ସାହୁ, ମନୋଜ ଦାଶ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହି ସମାବେଶରେ ୫୦୦୦ରୁ ଅଧିକ ଚାଷୀ ଶ୍ରମିକ ଯୋଗଦେଇ ଥିଲେ ଓ ବରଗଡ଼ ଜିଲ୍ଲାର ବହୁତ ସଂଗଠନ ସମର୍ଥନ ଜଣାଇ ସାମିଲ ଥିଲେ ।