ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି : ବିଷ୍ଣୁ ମହାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି । ହକର ମାନେ ସମ୍ମାନର ଅଧିକାରୀ । ଖବରକାଗଜ ଓ ପାଠକଙ୍କ ମଧ୍ୟରେ ହକର ଭାଇ ସେତୁ ସଦୃଶ୍ୟ ବୋଲି ଆନ୍ତର୍ଜାତୀୟ ହକର ଦିବସ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ସେକ୍ଟର ୧୬ ଶ୍ରମିକ ଭବନଠାରେ ବିମାନ ମାଇତିଙ୍କ ଆବାହକତ୍ୱ ଓ ବିଷ୍ଣୁ ମହାନ୍ତିଙ୍କ ସଭପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି, ସମିର ରଂଜନ ପରିଡା, କୁଂଜବିହାରୀ ରାଉତ, ଅବନୀ ମହାପାତ୍ର, ସଂଜୀବ ନାୟକ, ବସନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତୀୟ ହକର ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ, ୧୮୬୧ ମସିହାରେ ଏହି ଦିବସ ଇଂଲଣ୍ଡରେ ଆରମ୍ଭ ହୋଇଥିଲା । ତେବେ ଆଜିକା ଦିନରେ ହକର ଭାଇ ମାନେ ଯେତିକି ସଂଗଠିତ ହେବା କଥା, ସେତିକି ହୋଇପାରିନାହାନ୍ତି । ଓଡିଶାରେ ରାଉରକେଲା ହକର ଆସୋସିଏସନ୍ ଇତିହାସ ସୃଷ୍ଟି କରିଛି । ତେବେ ଆଗାମୀ ଦିନରେ ହକର ଭାଇଙ୍କ ସାମାଜିକ ସୁରକ୍ଷା ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି । ସମ୍ମାନିତ ଅତିଥି ଶ୍ରୀ ପରିଡା ଆବଶ୍ୟକତା ସହଯୋଗ ଓ ଶ୍ରୀ ରାଉତ ଏକତା ଓ ସଂଗ୍ରାମ ଉପରେ ଗୁରୁତ୍ୱାରୋପ ସହ ହକରଙ୍କ ସଂପର୍କୀତ କବିତା ପାଠ କରିଥିଲେ । ଅନ୍ୟ ଅତିଥି ଶ୍ରୀ ନାୟକ, ଶ୍ରୀ ମହାପାତ୍ର ଓ ଅନ୍ୟମାନେ ସାଂଗଠନିକ ଦକ୍ଷତା ସଫଳତାର ଚାବିକାଠି ବୋଲି କହିବା ସହ ଆନ୍ତର୍ଜାତିକ ହକର ଦିବସ ପାଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ହକର ଭାଇଙ୍କ ମଧ୍ୟରେ କର୍ମକର୍ତ୍ତା ସର୍ବଶ୍ରୀ କିଶୋର ରାଉତ, ଆର୍ତ୍ତତ୍ରାଣ ବେହେରା, ମିହିର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଶରତଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଆବାହକ ଶ୍ରୀ ମାଇତି ଅତିଥିଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ମହାନ୍ତି ସଭାପତିତ୍ୱ ଅଭିଭାଷଣ ସହ ସାମ୍ପ୍ରତିକ ସ୍ଥିତିରେ ହକର ଭାଇଙ୍କ ପରିଚୟ ପତ୍ର ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ପେନସନ ବ୍ୟବସ୍ଥା, ସ୍ବାସ୍ଥ୍ୟ, ଶ୍ରମ ଆଇନ କିପରି ଲାଗୁ ହୋଇପାରିବ ସେ ସଂପର୍କରେ ସମ୍ବାଦପତ୍ରରର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଦିବଙ୍ଗତ ହକର ଭାଇଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୁନା ପଟ୍ଟନାୟକ, ଅଶୋକ ବିଶ୍ୱାଳ, ନବୀନ ମାଝୀ, ସୁକେନ୍ଦୁ ପାତ୍ର, ବାଦଲ ଘୋଷ, ରାଜକିଶୋର ନାୟକ, ଅଶୋକ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଦୁର୍ଗାପ୍ରସାଦ କୁଲେ, ଆନନ୍ଦ କୁଲେ, ନିରଞ୍ଜନ ଦାସ, ସମୀର ରାଜହଂସ, ପ୍ରଦୀପ କଂସାରୀ, ଅଶୋକ ଦାସ, ଗୋପୀ ସୁନା, କାଶୀ ସାହାଣୀଙ୍କ ସହ ବହୁ ହକର ଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.