ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ଥାନୀୟ ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ବିଦ୍ୟୁତ କାର୍ଯ୍ୟାଳୟ, ଜଳଛାୟା, ପ୍ରାଣୀ ଚିକିତ୍ସାଳୟ, ହାଇସ୍କୁଲ, ଅଗ୍ନିଶମ, ଉଦ୍ୟାନ ଆଦି ବିଭାଗର କାର୍ଯ୍ୟାଳୟ ରହିଥିବାରୁ ପ୍ରତ୍ୟେକ ଦିନ ଅଧିକାରୀ, କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସ୍କୁଲ କଲେଜ ଛାତ୍ରଛାତ୍ରୀ, ତଥା ଜନସାଧାରଣ ଯିବା ଆସିବା କରିଥାନ୍ତି । ହେଲେ ଦୀର୍ଘ ଦିନ ହେବ ରାସ୍ତାର ପିଚୁ ଉପୁଡ଼ି ପଡ଼ିଥିବାରୁ ଗାତ ସୃଷ୍ଟି ହୋଇ ବର୍ଷା ଦିନେ ଜଳରେ ପରିପୂର୍ଣ୍ଣ ହୋଇଥାଏ । ଯାହା ଫଳରେ ଯାତାୟତ କରୁଥିବା ଲୋକେ ଗାତରେ ପଡିଯାଇ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଅଧିକାରୀ କର୍ମଚାରୀମାନେ ଯିବା ଆସିବା କରିଥିବା ବେଳେ ତାଙ୍କ ଦୃଷ୍ଟି ପଡିନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।