jayashree

ଗଞ୍ଜାମ ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ମାସିକ ନିୟୋଜନ ଲାଗି ଶୁକ୍ରବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଟିବି ଚାମ୍ପିୟନମାନେ ପାରିଶ୍ରମିକ ୩ ହଜାର ୫ଶହ ଟଙ୍କା ପାଉଛନ୍ତି । ସେହି ପାରିଶ୍ରମିକ ଅର୍ଥରେ ଅନେକ ବାଧାବିଘ୍ନ କଷ୍ଟର ଶିକାର ହେବାକୁ ପଡୁଛି । ସ୍ୱାସ୍ଥ୍ୟ ବିଭାଗରେ ମାସ ସାରା କାର୍ଯ୍ୟକ୍ଷେତ୍ରରେ ନିୟୋଜନ କରିବା ସାଂଗକୁ ମାସିକ ପାରିଶ୍ରମିକ ୮ହଜାର ଟଙ୍କା ବୃଦ୍ଧି କରାଯିବା ନେଇ ଦାବୀ କରାଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଶତାଧିକ ଟିବି-ଚାମ୍ପିୟାନ୍ ମିଳିତ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୁନଃଶ୍ଚ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଦାବୀ ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେମାନେ ଚେତବନୀ ଦେଇଛନ୍ତି । ପ୍ରକାଶ ଥାଉକି, ଗତ ୨୦୧୯ ମସିହାଠାରୁ ଟିବି ଚାମ୍ପିୟନ୍ ଭାବେ କାର୍ଯ୍ୟ କରି ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାର୍ଦୁଭାବ ଓ ନିରାକରଣ ସଂପର୍କରେ ଲୋକଙ୍କୁ ଅବଗତ କରାଇଆସୁଛନ୍ତି ଏବଂ ଲୋକଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନ କରାଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଗୀଙ୍କୁ ଦିଆଯାଉଥିବା ମାଗଣାରେ ଔଷଧୀୟ ଉପକରଣ ଯୋଗାଇ ଆସୁଅଛନ୍ତି । ଏପରିକି ସମଗ୍ର ଗଞ୍ଜାମ ଜିଲ୍ଲାରେ ଟିବି ଚାମ୍ପିୟାନ୍ ଭାବେ ଲୋକଙ୍କୁ ପରିଚିତ କରାଇ ସ୍ୱାସ୍ଥ୍ୟ ବିଭାଗର ଜଣେ ସାମାଜିକ କର୍ମୀ ଭାବେ କାର୍ଯ୍ୟକରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଉପାନ୍ତ ଅଞ୍ଚଳରେ ହରିଜନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ, ବଣ, ପାହାଡ଼ ଘେରାଞ୍ଚଳ, ଗମନା ଗମନ ସୁବିଧା ନ ଥିବା ଭଳି ଅଞ୍ଚଳରେ ମଧ୍ୟ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯକ୍ଷ୍ମା ରୋଗର ନିରାକରଣ ସମ୍ବନ୍ଧରେ ବିଭିନ୍ନ ଅଞ୍ଚଳ ବୁଲି ବୁଲି ସର୍ଭେକ୍ଷଣ କରି ଟିବି ଚାମ୍ପିୟନମାନେ ବଳିଷ୍ଠ ପଦକ୍ଷେପ ନେଇଆସିଛନ୍ତି । ଗଞ୍ଜାମ ଜିଲ୍ଲାରେ ଯକ୍ଷ୍ମା ରୋଗର ନିରାକରଣ ଓ ସଚେତନତା ଉପରେ ବଳିଷ୍ଠ ପଦକ୍ଷେପ ନେବାରେ କାର୍ଯ୍ୟକରି ଆସୁଥିବା ଏହି ଟିବି ଚାମ୍ପିୟାନମାନଙ୍କ ମୌଳିକ ସୁବିଧା ଓ ନ୍ୟାର୍ଯ୍ୟ ଦାବୀ ସରକାର ପୂରଣ କରିବା ଆବଶ୍ୟକ ହୋଇଛି ।

Leave A Reply

Your email address will not be published.