ରାଜ୍ୟ ସରକାରଙ୍କ ଦ୍ଵାରା କାରଖାନା କତ୍ତୃପକ୍ଷଙ୍କ ପାଖରେ ମଜଦୁର ସଭାର ଦାବୀ ଉପସ୍ଥାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ଓ ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ସୁବିଧା ସୁଯୋଗ ନେଇ ରାଉରକେଲା ମଜଦୁର ସଭା ଏହାର ନିରନ୍ତର ପ୍ରୟାସ ଜାରି ରଖିଛି । କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହାର ସଂପ୍ରସାରଣ ଓ ଆଧୁନିକିକରଣକୁ ନେଇ ପ୍ରସ୍ତାବିତ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ସେଲ୍ କତ୍ତୃପକ୍ଷ, କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିବା ସହ ଏନେଇ ରାଜ୍ୟ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ରାଉରକେଲା ମଜଦୁର ସଭା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଥିଲା । ଗତ ତା ୧୧/୦୩/୨୦୨୩ ରିଖରେ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ରାଉରକେଲାଠାରେ ହେଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ମଜଦୁର ସଭାର ଏକ ପ୍ରତନିଧି ମଣ୍ଡଳୀ ସଭାପତି ଶଶଧର ନାୟକ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କାରଖାନାର ଆଧୁନିକିକରଣ ଓ ସଂପ୍ରସାରଣ ସହିତ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, କାରଖାନାର ନିଜସ୍ଵ ଜମିରେ ଏକ ଗୃହ ନିର୍ମାଣ ପ୍ରକଳ୍ପ, ସହରାଞ୍ଚଳରେ ଥିବା କାରଖାନାର ବ୍ୟବହୃତ/ଅବ୍ୟବହୃତ କ୍ୱାର୍ଟରଗୁଡିକକୁ ସେବା ନିବୃତ କର୍ମଚାରୀଙ୍କୁ ସବ୍ ଲିଜ ଭିତ୍ତିରେ ପ୍ରଦାନ କରିବା ଓ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଇସ୍ପାତ କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଉପଯୋଗ କରିବା ପାଇଁ ଏହାର ପରିଚାଳନା ରାଜ୍ୟ ସରକାର ନିଜ ହାତକୁ ନେବା ନେଇ ୫ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାର ଉପରୋକ୍ତ ପ୍ରସଙ୍ଗକୁ ବିଚାରକୁ ନେଇ ଆବଶ୍ୟକୀୟ ଅନୁଧ୍ୟାନ କରି ନିଜ ତରଫରୁ ମଜଦୁର ସଭାର ୫ ଦଫା ଦାବୀକୁ ନେଇ ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରି ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ରାଉରକେଲା ମଜଦୁର ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥ ପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପାଖରେ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଇସ୍ପାତ କତ୍ତୃପକ୍ଷ ତୁରନ୍ତ ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.