jayashree

ହାଇସ୍କୁଲ ଏନ.ପି.ଏସ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ମାସ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ । ଓଡିଶା ସରକାରଙ୍କ ଅଧିନରେ ଯେଉଁମାନେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ ସେମାନେ ନିୟମିତ ହେବେ ବୋଲି ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କଲେ । ଏହି ବିଜ୍ଞପ୍ତି ଘୋଷଣା ପରେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହେଲା । ବିଜ୍ଞପ୍ତି ଅନୁସାରେ ୨୦୧୩ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି କେବଳ ସେହିମାନେ ହିଁ ଉପକୃତ ହେବେ ବୋଲି ଉଲ୍ଲେଖ ଥିଲା, ଅର୍ଥାତ୍‌ ୨୦୦୪ ରୁ ୨୦୧୩-୧୪ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ପାଇବେନି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଲା ଏବଂ ୨୦୧୩ ନିଯୁକ୍ତି ନିୟମରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନେ ଚାକିରିର ଯୋଗଦାନ କରିଥିବା ପ୍ରଥମ ଦିନରୁ ତାଙ୍କର ଚାକିରି ସମୟକୁ ଗଣନା କରାଯିବା ସହ ତାଙ୍କୁ ନେସନାଲ ଇନକ୍ରିମେଣ୍ଟ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା । ତେଣୁ ଶିକ୍ଷକ ଶିକ୍ଷକ ମଧ୍ୟରେ ବହୁ ଅସଙ୍ଗତି ସୃଷ୍ଟି ହେଲା । ଏହି ପାତର ଅନ୍ତର ନୀତି ବିରୋଧରେ ପୁନର୍ବାର ସରକାର ବିଚାର କରନ୍ତୁ ଏବଂ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ନିଷ୍ପତି ଗ୍ରହଣ କରନ୍ତୁ ବୋଲି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ପାଖରେ ଦୃଢ ଦାବୀ ବାରମ୍ବାର ଜଣାଯାଇଥିଲା ଏବଂ ପରେ ସରକାର କୌଣସି ସମାଧାନ ନ କରିବାରୁ ୨ ଦଫା ଦାବୀ ପୂରଣ ନେଇ ଆନ୍ଦୋଳନ ମଧ୍ୟ ହୋଇଥିଲା । ଏହି ଆନ୍ଦୋଳନରେ ଦାବୀ ପୂରଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ରାଜ୍ୟ ନେତୃତ୍ୱ ମାନଙ୍କ ସହ ଆଲୋଚନା କରିବା ସହିତ ୨ଟି ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ମିଳିବା ପରେ ରାଜ୍ୟ ସଂଘ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । କିନ୍ତୁ ଏହାପରେ ମଧ୍ୟ ସରକାର କିଛି ବ୍ୟାଚ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପେ ପ୍ରୋଟେକ୍ସନ ଭଳି ଏକ ଅସାମ୍ବିଧାନିକ ପ୍ରଣାଳୀ ପ୍ରୟୋଗ କରି ୨୦୧୦ ରୁ ୨୦୧୬ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦରମାକୁ ସମାନ କରିଦେଇ କିଛି ବର୍ଷ ଲେଖାଏଁ ଚୁକ୍ତି ଭିତ୍ତିକ ଚାକିରିକୁ ନିୟମିତ ଚାକିରି ଭାବେ ଯୋଗ କଲେ ଏବଂ ୨୦୦୪ରୁ ୨୦୦୯ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୌଣସି ସୁବିଧା ପାଇବାରୁ ସମ୍ପୂର୍ଣ୍ଣ ଭାବରେ ବଂଚିତ କଲେ । ଯାହାକୁ ଓଡିଶା ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛି । ତେଣୁ ୨ ଦଫା ଦାବୀ ଯଥା- ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ନିୟମିତ ଚାକିରି କାର୍ଯ୍ୟ ସମୟ ସହ ଯୋଗ କରିବା ସହ ୬ଗୋଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏବଂ ପୁରୁଣା ପେନସନ ପ୍ରଦାନ କରିବା ଆଦି ଦାବୀ ନେଇ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ଭୂବନେଶ୍ୱରରେ ରାଜ୍ୟ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଂଘର ସଭାପତି ରାଜକୁମାର ଭୋଇ ଓ ସମ୍ପାଦକ ବୀର କିଶୋର ସୁନାଙ୍କ ନେତୃତ୍ୱରେ ସ୍ଥାନୀୟ ଆର୍ଯ୍ୟ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ଶିକ୍ଷକ ଶରତ ନାଗ, ନରେଶ ଦ୍ୱାରୀ, ଡୋଲାମଣୀ ସାହୁ, ଦ୍ୱିତୀ ରଞ୍ଜନ ମହାଲିଙ୍ଗ, ବିନୋଦ ମିଶ୍ର, ସନାତନ ପୁରୋହିତ, ସୁଧାଂଶୁ ବାରିକ, କପିଳେଶ୍ୱର କୁମ୍ଭାର, ହେମନ୍ତ ବାରିକ, ସୁରେଶ ବାରିକ, ରାମ ନାରାୟଣ ଦାଶ, ଅଶ୍ୱିନୀ ଷଡଙ୍ଗୀ, ସରୋଜ ସାହୁ, ରାୟଗୁପ୍ତା ବିଶ୍ୱାଲ, ସନାତନ ପୁରୋହିତ, ଶେଷଦେବ ସାହୁ, ଦନାର୍ଦ୍ଦନ ପାଣ୍ଡେ, ଇସ୍ପାଲ ସୁନା, ଦେବାଶିଷ ବିଶି, ତେଜସ୍ୱୀ ରଥ, ରଞ୍ଜିତ ମିଶ୍ର, ଜନତା ନାଗ ଶିକ୍ଷୟିତ୍ରୀ ଶ୍ୱେତାଲୀନା ଜାଲ, ଜୟଶ୍ରୀ ପୋଢ, ଜ୍ୟୋତ୍ସ୍ନା ଭୋଇ, ଶକ୍ତିବାଇ ପଣ୍ଡା, ଦୀପାଞ୍ଜଳି ଯୋଶୀ ପ୍ରମୁଖଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.