ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରୁ ମାତ୍ର ୬ କି.ମି ଦୂରରେ ଗୋପାଳପୁର ବନ୍ଦର ଅବସ୍ଥିତ । ତା’ର ନିକଟବର୍ତ୍ତୀ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଗଣ୍ଡରେ ଗତ ଗୁରୁବାର ସକାଳେ ସମୁଦ୍ରକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ରୀ ସମୁଦ୍ରରେ ବୁଡ଼ି ଯାଇଛନ୍ତି । ମୃତକ ଦୁଇ ଜଣ ସ୍ୱପ୍ନାରାଣୀ ଓ ପ୍ରଜ୍ଞାରାଣୀ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ । ଗୁରୁବାର ସକାଳୁ ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ଗାଧୋଇବାକୁ ଯାଇ ଜୀବନ ହରିବା ଭଳି ଏକ ଦୁଃଖଦାୟକ ଅଭାବନୀୟ ଅଘଟଣ ଘଟିଛି । ମୃତକଙ୍କ ନିମନ୍ତେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସେମାନଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଓ କ୍ଷତିପୂରଣ ଦେବାକୁ ଦାବୀ ହୋଇଛି । ବିଶିଷ୍ଟ ଶ୍ରମିକ ସଂଗଠନ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଂଘର ସଭାପତି ଶଙ୍କର ଦାଶ ପ୍ରଶାସନକୁ ଏ ସମ୍ପର୍କରେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ସ୍ଥାନଟିକୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇ ସ୍ଥାନଟିକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନଠାରେ ଦାବୀ କରିଛନ୍ତି । ମୃତକ ପ୍ରଜ୍ଞାରାଣୀଙ୍କ ପିତା ପବିତ୍ର ତ୍ରିପାଠୀ ଏନେଇ ସମୁଦ୍ର ବେଳାଭୂମିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟି ଏ ସମ୍ପର୍କରେ ଦୃଢ଼ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଟେ । ଏହି ଗଣ୍ଡରେ ଅନେକଙ୍କ ଜୀବନ ଯାଉଛି, ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇ ଏହି ଅଞ୍ଚଳକୁ ଯିବାକୁ ଅବରୋଧ କରାଯାଇ ରାସ୍ତା ବନ୍ଦ କରାଯାଉ । ଏଠାରେ ତଟରକ୍ଷାବାହିନୀ ପକ୍ଷରୁ ଜଣେ ନିରାପତ୍ତା ରକ୍ଷୀଙ୍କୁ ନିଯୁକ୍ତି କରାଯିବା ଲାଗି ଜନସାଧାରଣରେ ଦାବୀ ହୋଇଛି ।