ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାଗାମୀ ଇଣ୍ଟରସିଟି ଟ୍ରେନଗୁଡିକୁ କଟକ ରେଳ ଷ୍ଟେସନ ମଧ୍ୟ ଦେଇ ଚଳାଇବାକୁ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଦାବୀ କରାଯାଇଛି । ସେହିପରି ରାଉରକେଲାରୁ ଭୁବନେଶ୍ୱର ଇଣ୍ଟରସିଟି ଚଳାଚଳ କରୁଥିବା ବେଳେ ସେହି ସମୟରେ ଭୁବନେଶ୍ଵରରୁ ରାଉରକେଲା ଦ୍ୱିତୀୟ ଇଣ୍ଟରସିଟି ଚଳାଚଳର ଆବଶ୍ୟକତା ଓ ଦାବୀ ବହୁ ଦିନରୁ ହୋଇଆସୁଛି । ଏହି ଟ୍ରେନ ଚଳାଗଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତା ଓ ସାଧାରଣ ସଂପାଦକ ପି ପି ରାୟ କହିଛନ୍ତି । ସେହିପରି ପଶ୍ଚିମ ଓଡିଶାରୁ ଯାତାୟତ ପାଇଁ କଟକ ସମେତ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାର ଜନତା କଟକ ରେଳଷ୍ଟେସନ ଉପରେ ନିର୍ଭରଶୀଳ । ଦୈନନ୍ଦିନ ଯାତ୍ରା ଲାଗି କଟକ ରେଳଷ୍ଟେସନରୁ ପଶ୍ଚିମ ଓଡିଶା ଯିବାକୁ କୌଣସି ଇଣ୍ଟରସିଟି ଟ୍ରେନ ଚଳାଚଳ କରୁନାହିଁ । ଇଣ୍ଟରସିଟି ଟ୍ରେନ୍ କଟକ ଦେଇ ଚଳାଚଳ କଲେ ସମ୍ବଲପୁର ଅନୁଗୁଳରୁ ସକାଳେ ବାହାରି ଯାତ୍ରୀମାନେ ଅପରାହ୍ନରେ କଟକରୁ ଫେରିପାରନ୍ତେ । ଅନ୍ୟପଟେ ଭୁବନେଶ୍ୱରରୁ ରାଉରକେଲା ଇଣ୍ଟରସିଟି ଚଲାଇଲେ ଯାତ୍ରୀମାନେ ବହୁ ପରିମାଣରେ ଉପକୃତ ହେବା ସଂଗେ ସଂଗେ ଦୀର୍ଘ ଦିନରୁ ଥିବା ଦାବୀ ପୂରଣ ହୋଇପାରନ୍ତା ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ସହ କଟକ ସାଂସଦ ଭତ୍ତୃହରି ମହତାବ ରେଳମନ୍ତ୍ରୀଙ୍କ ନିକଟରେ ଏ ସଂକ୍ରାନ୍ତରେ ଉଠାଇଥିବା ପ୍ରସ୍ତାବକୁ ଯଥାର୍ଥ ଓ ଏହାକୁ ମଂଚ ସମର୍ଥନ କରୁଛି ବୋଲି ସଭାପତି ଡାକ୍ତର ହୋତା, ସାଧାରଣ ସଂପାଦକ ଶ୍ରୀ ରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଦାବୀ କରିଛନ୍ତି ।