ଗଣ୍ଡାବଜା ବଜନିଆ ଏବଂ କଳାକାରଙ୍କ ରେଲି : ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ସଂସ୍କୃତିକୁ ଜୀବିତ କରି ରଖିଥିବା ଗଣ୍ଡାବଜା ବଜନିଆଁ, ସଂଚାର, କରମସାନୀ, ଖଞ୍ଜଣି ଏବଂ ଦଣ୍ଡନୃତ୍ୟ କଳାକାରମାନେ ଏକତ୍ରିତ ହୋଇ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ବଜାର ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ସରକାରଙ୍କୁ ଝାରବନ୍ଧ ବିଡିଓ ରୁନୁ ଲାକ୍ରାଙ୍କ ଜରିଆରେ ୯ ଦଫା ସମ୍ବିଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଦାବୀ ଗୁଡିକ ମଧ୍ୟରେ କଳା ସଂସ୍କୃତିକୁ ଜନ୍ମ ଦେଇଥିବା ତଥାକଥିତ ଅଛୁଆଁ ବର୍ଗର କଳାକାରମାନଙ୍କୁ ଉଚିତ ସମ୍ମାନ ପ୍ରଦାନ, ପ୍ରକୃତ କଳାକାରଙ୍କୁ ଚିହ୍ନଟ ଏବଂ କଳାକାର ଭତ୍ତା ପ୍ରଦାନ, କଳାକାରଙ୍କର ବାଦ୍ୟଯନ୍ତ୍ର ତିଆରି କରୁଥିବା କଳାକାରଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପ୍ରଦାନ, କଳାକାରମାନଙ୍କୁ ତଥା ତଫସିଲଭୁକ୍ତ ଜାତିର ଲୋକମାନଙ୍କୁ ପୂର୍ବପୁରୁଷାନୁ କ୍ରମେ ଚାଷ କରି ଆସୁଥିବା ଜମିର ରେକର୍ଡ କରି ପଟ୍ଟା ପ୍ରଦାନ, କଳାକାମାନଙ୍କର ଯାତାୟାତ ପାଇଁ ବସ୍ ଏବଂ ରେଲରେ ରିହାତି ଦରରେ ଟିକଟ ବ୍ୟବସ୍ଥା, କଳାକାର ମାନଙ୍କଠାରୁ ବେଆଇନ ଭାବେ ଦଳାଲଙ୍କ ଠାରୁ ଟଙ୍କା ଅସୁଲି ବନ୍ଦ କରାଯାଉ, କଳାକାରର ମିଛ ପ୍ରମାଣପତ୍ର ଦେଇ ସରକାରୀ ସହାୟତା ପାଉଥିବା ଲୁଣ୍ଠନକାରୀ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ, ବରଗଡ ଜିଲ୍ଲାର ୧୨ ଗୋଟି ବ୍ଲକ ତଥା ସମଗ୍ର ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାର ସମସ୍ତ ବ୍ଲକର ଗଣ୍ଡାବଜା ବଜନିଆ ଓ ସବୁ ବର୍ଗର କଳାକାରଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରି କଳା ସଂସ୍କୃତି ବିଭାଗ ତରଫରୁ ଆସୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ ଏବଂ ୨୦୧୧ ଏସିଇସିସି ତାଲିକାରେ ବଞ୍ଚିତ ଗଣ୍ଡାବଜା କଳାକାର ମାନଙ୍କୁ ଘର ଯୋଗାଇବାରେ ବିହିତ ପଦକ୍ଷେପ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ ।

ଗଣ୍ଡାବଜା କଳାକାର ମାନଙ୍କୁ ସରକାରୀ ସ୍ତରରେ ଚିହ୍ନଟ ଏବଂ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ କଳାକାର ମାନେ ଦାବୀ କରିଛନ୍ତି । ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଗଠନର ଆବାହକତ୍ବରେ ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକର ସଭାପତି ଭୋଜରାଜ ବାଗ , ମଧୁମୟ କଳା ସଂସ୍କୃତି ସଂଗଠନ ବରଗଡ ଓଡିଶାର ଅଧ୍ୟକ୍ଷ ମୋତିଲାଲ ବାଗ, ଝାରବନ୍ଧ ବ୍ଳକ କଳା ସଂସ୍କୃତି ସଂଗଠନର ସଭାପତି ଯୁବ ସଂଚାର ବାୟକ ହର୍ଷବର୍ଦ୍ଧନ ଲୁହାର, ସମାଜସେବୀ ଅକ୍ଷୟ କୁମାର ବାଗ, ନିତ୍ୟାନନ୍ଦ ମୁନା ଏବଂ ସଂଚାର ବାୟକ ମଣି ଛତର ଏହି ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଝାରବନ୍ଧ ବ୍ଲକର ୧୪ଟି ପଞ୍ଚାୟତରୁ ୨୪ ଗୋଟି ଗଣ୍ଡାବଜା ବଜନିଆ ଦଳ, ୫ ଗୋଟି ସଂଚାର ଦଳ, ୪ ଗୋଟି କରମସାନୀ ଦଳ, ଗୋଟିଏ ଖଞ୍ଜଣି ଦଳ ଏବଂ ଗୋଟିଏ ଦଣ୍ଡନୃତ୍ୟ ଦଳ ଯୋଗଦେଇ ବାଦ୍ୟ ବଜାଇ ଏହି କଳାକାର ରେଲିରେ ସାମିଲ ଥିଲେ । ମଧୁମୟ କଳା ସଂସ୍କୃତି ସଗଂଠନର ସଦସ୍ୟ ପଡୋଶୀ ରାଜ୍ୟ ଛତିଶଗଡର କାପୁକୁଣ୍ଡା, ନୁଆଁପଡାର ଗଣ୍ଡାବଜା କଳାକାର, ସଂଚାର କଳାକାର ଏବଂ ବରଗଡ ଜିଲ୍ଲା ବିଜେପୁର ବ୍ଲକର କୁର୍ଲାମୁଣ୍ଡା ଏବଂ ଗଣ୍ଡପାଲିର ଗଣ୍ଡାବଜା କଳାକାରମାନେ ରେଲିକୁ ସମର୍ଥନ ଜଣାଇ ଯୋଗ ଦେଇଥିଲେ । ବରିଷ୍ଠ କଳାକାର ବିଜୟ ବେସ୍ରାଙ୍କ ସମେତ ସଂଗଠନର ବ୍ଲକ ସଂଯୋଜକ ଏବଂ ସମସ୍ତ ପଞ୍ଚାୟତ ସଂଯୋଜକ ଉପସ୍ଥିତ ଥାଇ କାର୍ୟ୍ୟକ୍ରମକୁ ସଫଳ କରିଥିବା ବେଳେ ଶେଷରେ ସମସ୍ତ କଳାକାରଙ୍କୁ ସଂଗଠନର ସଂପାଦକ ଜଗନ୍ନାଥ କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.