oom

ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ରକ୍ତକୁ ବ୍ୟବସାୟୀକରଣ କରୁଥିବା ଅନୁଷ୍ଠାନ ଓ ଘରୋଇ ରକ୍ତ ଭଣ୍ଡାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲା ସଂକ‌ଳ୍ପ ପରିବାର

ବରଗଡ଼/ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ଡାକ୍ତରଖାନାରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ରକ୍ତଦାନ ଶିବିର ଆୟୋଜନ କରି ଯୁବପୀଢ଼ିଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ଲୋକେ ସ୍ୱଇଚ୍ଛାରେ ରକ୍ତଦାନ ମଧ୍ୟ କରୁଥିଲେ । ମାତ୍ର ବର୍ତ୍ତମାନ ସମୟରେ କିଛି ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜନ କରି ଏକ ଘରୋଇ ରକ୍ତ ଭଣ୍ଡାରକୁ ଦାନରେ ସଂଗୃହୀତ ହୋଇଥିବା ରକ୍ତ ଯୋଗାଇ ଦେଇ ଅର୍ଥ ଉପାର୍ଜନ କରୁଥିବା ପରି ଅଭିଯୋଗ ଗଣମାଧ୍ୟମରେ ପ୍ରସାରିତ ହେବାପରେ, ରକ୍ତଦାନ କରୁଥିବା ଲୋକେ ତଥା ଜନସାଧାରଣ ମଧ୍ୟରେ ସମସ୍ତ ସମାଜସେବୀ ସଙ୍ଗଠନ ଉପରେ ସନ୍ଦେହ ସୃଷ୍ଟି ହୋଇପଡ଼ିଛି । ଲୋକେ ସନ୍ଦେହ ଚକ୍ଷୁରେ ଦେଖିବା ସହିତ ନାନା ଟିପ୍ପଣୀ ରଖୁଛନ୍ତି । ଯାହାର ଫଳ ସ୍ୱରୂପ ନିଃସ୍ୱାର୍ଥପର ସେବା ଯୋଗେଇ ଆସୁଥିବା ସମାଜସେବୀ ସଙ୍ଗଠନ ଗୁଡ଼ିକର ମନୋବଳ ଭାଙ୍ଗିପଡ଼ିଛି । ଅନ୍ୟପଟେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ମଧ୍ୟ ଦେଖାଦେଲାଣି ଏବଂ ରୋଗୀଙ୍କୁ ଘରୋଇ ରକ୍ତଭଣ୍ଡାରରୁ ଚଢ଼ା ଦରରେ ଦାନ କରାଯାଇଥିବା ରକ୍ତକୁ ବାଧ୍ୟ ହୋଇ କ୍ରୟ କରିବାକୁ ପଡୁଛି । ଏପରି ପରିସ୍ଥିତି ଲାଗି ରହିଲେ ଆଗକୁ ଗ୍ରୀଷ୍ମଋତୁରେ ବରଗଡ଼ ରକ୍ତ ଭଣ୍ଡାରରେ ଆଦୌ ରକ୍ତ ରହିବ ନାହିଁ । ଏଣୁ ସଂକ‌ଳ୍ପ ପରିବାର ରକ୍ତର ଏପରି ବ୍ୟବସାୟୀକରଣକୁ ପ୍ରବଳ ବିରୋଧ କରିବା ସହିତ ରକ୍ତର ବ୍ୟବସାୟ କରୁଥିବା ସ୍ବେଛାସେବୀ ସଙ୍ଗଠନ, ଆୟୋଜକ ଏବଂ ଘରୋଇ ରକ୍ତ ଭଣ୍ଡାର ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛି । ରକ୍ତଦାନ ଭଳି ଏକ ପବିତ୍ର ଦାନକୁ କଳୁଷିତ କରିଥିବା ଅପରାଧୀଙ୍କୁ ଦଣ୍ଡଦେଇ ନିଷ୍ଠାପର ଭାବରେ ସମାଜସେବା କାମ କରୁଥିବା ସଙ୍ଗଠନ ଗୁଡ଼ିକର ମନୋବଳ ଫେରାଇ ଆଣିବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ସଂକ‌ଳ୍ପ ପରିବାର ଅନୁରୋଧ କରିଛି ।

Leave A Reply

Your email address will not be published.