ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ୍ ସିରପ୍ କାରବାର କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶାନ୍ତିପୁର ସ୍ଥିତ କେନ୍ଦୁପତ୍ର କାର୍ଯ୍ୟାଳୟ ନିକଟରେ ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ଜଣଙ୍କ ନିକଟରୁ ୫ଟି ସିଲ୍ ଥିବା ୧୦୦ ମିଲି ବିଶିଷ୍ଟ ଏସ୍କପ୍ କଫ ସିରଫ, ଗୋଟିଏ ଷ୍ଟ୍ରିପ ନିଶା ବଟିକା, ୪୧୦ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଛି । ଅଭିଯୁକ୍ତମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ସୁମିତ କୁମାର ସାହୁ(୩୪) ଏବଂ ପାଟିମାଲ ଗ୍ରାମର ରଣଧିର ପଣିକ (୨୨) ବୋଲି ଜଣାପଡିଛି । ଦୁହିଁଙ୍କୁ ଖପ୍ରାଖୋଲ ଥାନାକୁ ଆଣି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୧୧/୨୦୨୩ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୪/୨୭୫/୨୭୬/୩୪ ଆଇପିସି କ୍ରମେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସର ଏଭଳି କାର୍ଯ୍ୟ ଜାରି ରହିଲେ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ ତଥା ନିଶା କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେବା ସହ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି ।
Prev Post