ବୁର୍ଲା କୋଭିଡ ହସ୍ପିଟାଲରେ ବୌଦ୍ଧ ଜେଲ ଅନ୍ତବାସୀଙ୍କ ମୃତ୍ୟୁ : ଚିକିତ୍ସାରେ ଅବହେଳା ଅଭିଯୋଗ କରି ବୌଦ୍ଧ ଜେଲରେ ସାମୁହିକ ଧାରଣା
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାରର କରୋନା ସଂକ୍ରମିତ ବିଚାରାଧିନ ବନ୍ଦୀ ଚିକିତ୍ସା ଧିନ ଅବସ୍ଥାରେ ବୁର୍ଲା କୋଭିଡ ଚିକିତ୍ସାଳୟରେ ବୁଧବାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଚିକିତ୍ସା ଅବହେଳାରୁ କଏଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତେବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ସେମାନେ ଧାରଣା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୪ ତାରିଖ ଦିନ ଏକ ଇନୋଭା ଗାଡି ଚୋରି ମାମଲାରେ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କୋଦପିଠା ଗ୍ରାମର ସୁରେଶ ଲେଙ୍କା ଗିରଫ ହୋଇ ଜେଲ୍ରେ ଥିଲେ । ଜେଲ୍ ମଧ୍ୟରେ କୋଭିଡ ସଂକ୍ରମଣର ଶିକାର ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୌଦ୍ଧ କୋଭିଡ୍ ହସ୍ପିଟାଲରେ ଭର୍ତ୍ତିି କରାଯାଇ ସେଠାରୁ ବୁର୍ଲା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ରାତ୍ରିରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ସୁରେଶଙ୍କ ମୃତ୍ୟୁ ସୂଚନା ଅନ୍ୟ ବିଚାରାଧିନ ବନ୍ଦୀଙ୍କ ନିକଟରେ ପହଞ୍ଚିିବାପରେ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଉପକାରାଗାର ଭିତରେ ବନ୍ଦୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରି ଧାରଣା ଦେଇଥିଲେ । ଖବର ପାଇ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଉପଖଣ୍ଡ ପୋଲିସ୍ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ଉପକାରାଗାରରେ ପହଞ୍ଚି ବନ୍ଦୀମାନଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।