- 5T ସଚିବଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କଲେ ବାଇଶ କୋଟି ଟଙ୍କା
- 5T ଉପକ୍ରମରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ ବିକାଶ କାମ
- ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଜମି ମଧ୍ୟ ଦିଆଯିବ
- ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ ଥଇଥାନ କଲୋନୀ
- ପଞ୍ଚୁ ବାରାହୀ ପୀଠକୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ କରାଯିବ
ଭୁବନେଶ୍ୱର, (କେପିଏନ୍ଏସ୍) : ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । 5T ସଚିବ ଭି କେ ପାଣ୍ଡିଆନ୍ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା ।
ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ସତେଇଶ ଓ ଅଠେଇଶ ତାରିଖ ଦୁଇ ଦିନ ଧରି 5T ସଚିବ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ । ଗସ୍ତର ଦ୍ଵିତୀୟ ଦିନରେ ୨୮ ତାରିଖ ଦିନ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ଶ୍ରୀ ପାଣ୍ଡିଆନ୍ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ । ସେମାନଙ୍କ ସମସ୍ୟା ବୁଝିଥିଲେ । ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ ।
ପରେ ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ବାଇଶ କୋଟି ପଚାଶ ଲକ୍ଷ ଏକସ୍ତୋରୀ ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ।
ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧ ବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ । ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ ।
ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇ ଦିଆଯିବ । ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ light and sound ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏ ସମସ୍ତ କାମ 5T ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଦ୍ଵାରା ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ।