ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର ପୁତଲାମହୁଲ ଗ୍ରାମରେ ଶୁକ୍ରବାର ରାତିରେ ଘଟିଥିବା ଧାନ ଚୋରି ଉଦ୍ୟମ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଗ୍ରାମର ଚାଷୀ ଶତ୍ରୁଘନ ସାହୁ ଧାନ ଅମଳ କରି ତାହାକୁ ନିଜ ଖଳାରେ ସଞ୍ଚୟ କରିଥିଲେ । ରାତିର ଅନ୍ଧକାରକୁ ସୁଯୋଗ କରି କିଛି ଦୁର୍ବୃତ୍ତ ଟ୍ରାକ୍ଟର ସାହାଯ୍ୟରେ ଧାନ ଚୋରି କରୁଥିବା ବେଳେ ଖଳାରେ ଶୋଇଥିବା ଶତ୍ରୁଘନ ସାହୁଙ୍କ ପୁଅ ହଠାତ୍ ଉଠିପଡ଼ି ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ଶୁଣି ଚୋରମାନେ ଧାନ ଲଦିଥିବା ଟ୍ରାକ୍ଟର ସହିତ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରିଥିଲେ । ଏହା ଦେଖି ସେ ସଙ୍ଗେସଙ୍ଗେ ବାପାଙ୍କୁ ଫୋନ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହା ପରେ ଶତ୍ରୁଘନ ଓ ଗ୍ରାମବାସୀମାନେ ଏକତ୍ରିତ ହୋଇ ଟ୍ରାକ୍ଟର ଯିବା ରାସ୍ତାକୁ ଅବରୋଧ କରି ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାରିଜଣ ଦୁର୍ବୃତ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା । ପୋଲିସ ଚୋରି ହୋଇଥିବା ୮ ବସ୍ତା ଧାନ ଓ ଟ୍ରାକ୍ଟର (ନମ୍ବର–ଓଡ଼ି-୦୩-ଜେ-୦୮୫୩)କୁ ଜବତ କରିଛି । ପୋଲିସ ହାତରେ ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ମନୋହର ସାହୁ (୩୫), ବସନ୍ତ ସାହୁ (୩୧), ରାଜୁ ସାହୁ (୩୦) ଓ ରମାକାନ୍ତ ଭୁଏଁ (୨୫) । ସମସ୍ତେ ପୁତଲାମହୁଲ ଗ୍ରାମର ବାସିନ୍ଦା । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫/୨୦୨୬ରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଥାନାଧିକାରୀ ନରେନ୍ଦ୍ର ଛତର କହିଛନ୍ତି ଯେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଆଇନଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରାମବାସୀଙ୍କ ସଚେତନତା, ସାହସ ଓ ସମୟୋଚିତ ପଦକ୍ଷେପ ଫଳରେ ବଡ଼ ଧାନ ଚୋରି ଘଟଣା ଟାଳି ଦିଆଯାଇଥିବାରୁ ଅଞ୍ଚଳର ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।