oom

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମଞ୍ଜୁରୀ ବଢ଼ିଲା ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ବୃଦ୍ଧି, ଏଆଇ ମିଶନ, ଜଗତସିଂହପୁର ଜେଏସ୍‌ଡବ୍ଲୁର ଜେଟି ନିର୍ମାଣ, ଓଡ଼ିଶା ଚକ୍ଷୁ ସେବା ପାଇଁ ପାଇଁ ପଦବୀ ସୃଷ୍ଟି ଆଦି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ସରକାର ରାଜ୍ୟରେ ବିଭିନ୍ନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମାକୁ ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିଛନ୍ତି । ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି । ଏହା ସହ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ସୀମା ଉଲ୍ଲେଖ କରାଯାଇଥିବ ତା’କୁ ବାଦ ଦିଆଯାଇଛି । ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି । ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ । ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ । ତୃତୀୟରେ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁରରେ ଜେଏସ୍‌ଡବ୍ଲୁର ନିଜସ୍ୱ ଜେଟି ପାଇଁ ଅନୁମତି ମିଳିଛି । ଏଥିପାଇଁ ରାଜ୍ୟ ସରକାର ଓ ଜେଏସ୍‌ଡବ୍ଲୁ ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କରିଛି କ୍ୟାବିନେଟ । ଏହାଦ୍ୱାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ । ସେହିଭଳି ଓଡ଼ିଶା ଚକ୍ଷୁ ସେବା ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ କରାଯାଇଛି ।

Leave A Reply

Your email address will not be published.