ଛେଳି ମାଲିକ ହୁଅ ହୁସିଆର୍, ପୁଣି ମାତିଲେଣି ଛେଳି ଚୋର: ରାତିକରେ ଗୋଟେ ଘରୁ ବାହାର ପଟୁ କବାଟ ଦେଇ ୩ପଟ ଛେଳି ଚୋରୀ, ଥାନାରେ ଅଭିଯୋଗ
ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନାଞ୍ଚଳରେ ପୁଣି ଚୋର ସକ୍ରିୟ। ଶନିବାର ରାତିରେ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ କଛାରପାଳିର ନରେନ୍ଦ୍ର ମେର୍ଲ୍ଲିଙ୍କ ଘରୁ ଅଭିନବ ଉପାୟରେ ୩ପଟ ଛେଲି ଚୋରି ହୋଇଥିବା ଦେଓଗାଁ ଥାନାରେ ରବିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଶନିବାର ରାତିରେ ତାଙ୍କ ଘରେ ପରିବାର ଲୋକେ ସୋଇଥିବା ବେଳେ ଚୋର ଦଳ ଆସି ତାଙ୍କ ଗୁହାଳରେ ଥିବା ୩ଗୋଟି ଛେଲିକୁ ଧରି ନେଇ ଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଛେଲିମାନେ ଚିତ୍କାର କରିବାରୁ ଚୋର ଦଳ ଘରର କବାଟ ବାହାର ପଟରୁ ଦେଇ ଦେଇଥିଲେ । ଯାହାଫଳରେ ଆରାମରେ ୩ଟି ଛେଲି ଚୋରୀ କରି ନେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳର ଗାଁଗୁଡିକରେ ଥିବା ଛେଳି ମାଲିକମାନେ ଆତଙ୍କିତ ହୋଇପଡିଛନ୍ତି । ଏଣୁ ଜିଲ୍ଲା ପୁଲିସ ଅଧିକାରୀ ଏ ଛେଳି ଚୋରକୁ ଧରିବା ସହ ସେମାନଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣକ୍ଷହ ଦାବୀ ହେଉଛି । ଏବେ ଦେଓଗାଁ ଅଞ୍ଚଳରେ ‘ପୁଣି ମାତିଲେଣି ଚୋର, ଛେଳୀ ମାଲିକ ହୁଅ ହୁସିଆର୍’ ବୋଲି ଆଲୋଚନା ହେଉଛି।
ସୂଚନା ଅନୁସାରେ ଗତବର୍ଷ ଜୁଲାଇ ମାସରେ ଦେଓଗାଁ ଥାନାର କୁଠୁର୍ଲା ଗାଁରୁ ୩ପଟ, ଜୁର୍ଲାକାନିରୁ ୪ପଟ, ରତନପୁରରୁ ୩ପଟ ଓ ନାଇକେନସିରାରୁ ୧୫ପଟ ଛେଳି ଚୋରି ହୋଇଥିଲା । ସେହିପରି ଗତବର୍ଷ ଜାନୁଆରୀ-ଫେବୃଆରୀ ମାସରେ ଦେଓଗାଁ ବ୍ଲକ ବଙ୍ଗଳା ନିକଟରେ ଥିବା ଛେଳି ଫାର୍ମରୁ ଲଗାତାର ଭାବରେ ୩ଥର ଛେଳି ଚୋରୀ ହୋଇଥିଲା । ଦେଓଗାଁ ଅଞ୍ଚଳରେ ନିୟମିତ ଭାବେ ଛେଳି ଚୋରି ହେଉଥିଲେ ବି ପୁଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି ପୁଲିସ ବୋଲି ଆଲୋଚନା ହେଉଛି ।