ଚହଳେଇ ଦେଲା ନବମଶ୍ରେଣୀ ଛାତ୍ର ଚୈତନ୍ୟ

ମ.ରାମପୁର, (ହେମନ୍ତ ସାହୁ) : ମାନବିକତା ମରି ମରି ଯାଉଛି ବୋଲି କୁହାଯାଉଥିବା ବେଳେ ଆଜି ଯାହା ଆଖିରେ ଦେଖିବାକୁ ମିଳିଲା, ଆଶ୍ୱସ୍ଥି ଦେଲା । ଆଜି ବି ମଣିଷ ପ୍ରତି ଆର ଜଣେ ମଣିଷର ଦରଦ ରହିଛି । ମଣିଷ କହିଲେ ଆମ ଭଳି ସାଧାରଣ ନୁହେଁ, ଭିକାରୀ, ପାଗଳ ଲୋକଙ୍କ ପ୍ରତି ଆମର ଆନ୍ତରିକତା । ଆମେ ତ ଏମିତି ଦେଖିଚୁ ଭିକାରୀ କି ପାଗଳ ଲୋକଟିଏ ଦେଖିଲେ କୋଉ କୋଉ ଦୋକାନୀ ଚା ଟିକେ କି ବିସ୍କୁଟ ଖଣ୍ଡେ, କୋଉ ହୋଟେଲରୁ କଣ ଟିକେ ଖାଇବା । ଆଉ କୋଉ କୋଉ ଲୋକ ହାତ ଉପରେ ରଖି ପାଂଚଦଶ ଟଙ୍କା ଦେଇଥାନ୍ତି । କରୋନା ବେଳେ ତ କିଲେ ଆଳୁକୁ ପାଂଚ ଦୟାଳୁ ଭଳି ବି କେତେ ସେଲଫି, କେତେ ଫଟୋ ପ୍ରଚାର ପ୍ରସାର । କିନ୍ତୁ ପ୍ରକୃତ ଆନ୍ତରିକତା ସହିତ ଯଦି କେହି କିଛି ସେବା କରନ୍ତି ସେ ପ୍ରଚାର କି ପ୍ରସାରକୁ ଲକ୍ଷ୍ୟ ଦେଇନଥାନ୍ତି । ଆଜି ମ.ରାମପୁରଠାରେ ଥିବା ଯୁଗଯାତ୍ରୀ ସାହିତ୍ୟ ସଂସଦ ବାରଣ୍ଡାରେ ଆଶ୍ରୟ ନେଇଥିବା ଜଣେ ପାଗଳ ପାଖରେ ଆଉ ଜଣେ ପିଲା ବସି ତାର ହାତର ନଖ କାଟି ଦେଉଥିବାର ଦେଖିବାକୁ ମିଳିଥିଲା । ଆମ ପ୍ରତିନିଧି ଏହି ଦୃଶ୍ୟ ଦେଖିବା ପରେ ଭାବିଲେ ପାଗଳ ଯୁବକର କେହି ପରିଚିତ ହେଇଥିବ ବୋଧେ । ଥରେ ଦେଖି ଆସି କିଛି ବାଟ ଆସିବା ପରେ ପୁଣିଥରେ ଫେରି ସେଇ ପାଖକୁ ଯାଇ ପିଲାଟିର ପରିଚୟ ମାଗିଲା ବେଳକୁ, ସେହି ପିଲାଟା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡ଼େଙ୍ଗେନ ଗ୍ରାମ ପଂଚାୟତର ମେଟାଗୁଡ଼ା ଗ୍ରାମର ଚୈତନ୍ୟ ସା । ଅଲାତରା ସ୍ଥିତ ପଂଚସଖା ଉଚ୍ଚ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ର । ସେ ନଖ କାଟିଦେଉଥିବା ବେଳେ ନିଜ ଆଙ୍ଗୁଠି କଟିଯାଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା ଏବଂ ସେ ସେଥିକି ତିଳେ ମାତ୍ର ଭୃକ୍ଷେପ ନ କରି ନିଜର ଘରର ଜଣେ ପରିବାର ଲୋକଙ୍କ ଭଳି ପାଖରେ ବସିି ରହି ନଖ କାଟୁଥାଏ । ସତରେ ଦୃଶ୍ୟ ନିହାତି ଭାବରେ ମନ ଚହଳେଇ ଦେଲା ଭଳି । ନବମଶ୍ରେଣୀର ଏହି ଛାତ୍ର ଜଣଙ୍କ ନିଜ ବଡ଼ ଭଉଣୀ(ଯିଏ ବିଶ୍ୱ ହିନ୍ଦୁ ପରିଷଦର ଏକଲ ବିଦ୍ୟାଳୟର ଜଣେ ସ୍ୱେଚ୍ଛାସେବୀ)ଙ୍କ ସହିତ ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଏକ ବୈଠକ ଲାଗି ଆସିଥିଲେ । ସେତିକିବେଳେ ସେ ସାମ୍ନାରେ ଥିବା ଯୁଗଯାତ୍ରୀ ସାହିତ୍ୟ ସଂସଦ ବାରଣ୍ଡାରେ ଥିବା ପାଗଳକୁ ଦେଖି ବିସ୍କୁଟ ତିନି ପ୍ୟାକେଟ ସହିତ ଏକ ବ୍ଲେଡ଼ ଧରି ତା ପାଖକୁ ଯାଇ ତାକୁ ବିସ୍କୁଟ ଖାଇବାକୁ ଦେଇ ହାତ, ଗୋଡ଼ର ନଖ କାଟିବାରେ ଲାଗିଥିଲା । ତା ପାଖରୁ ଏହିସବୁ ଦେଖି ପଚାରିବାରୁ, ସେ ମୋତେ ଏଇସବୁ କାମ କରିବାକୁ ଭଲ ଲାଗେ, ଯୋଉଠି ଯାହାକୁ ଦେଖିଲେ କିଛି ବିସ୍କୁଟ ଆଉ କିଛି ପାଣି ସହିତ ଯାହା ହୁଏ ସେବା କରିଦିଏ ବୋଲି କହିଥିଲେ । ତାଙ୍କ ବାପାଙ୍କ ମୋବାଇଲ ନମ୍ବର ଆଣି କଥା ହେବାରୁ ତାଙ୍କ ବାପା ପଞ୍ଚାନନ ସା କହିଥିଲେ, ଆଜ୍ଞା ମୋର ପାଂଚ ଝିଅ ଭିତରେ ଏହି ଗୋଟିଏ ମାତ୍ର ପୁତ୍ର । ଯିଏ ଅଲାତରାରେ ନବମ ଶ୍ରେଣୀରେ ପଢୁଛି । ଏକ ମାତ୍ର ପୁତ୍ର ବୋଲି ଚୈତନ୍ୟ ବୋଲି ତା ନାମ ଦେଇଛି । ପିଲାଦିନୁ ସେ ଦୁଃଖୀ ଲୋକଟିଏ ଦେଖିଲେ ଯାହା ସମ୍ଭବ ସହଯୋଗ କରିବାର ଦେଖିଛି । ତେବେ ଏହି ନବମ ଶ୍ରେଣୀର ଛାତ୍ର ଚୈତନ୍ୟ ପାଖରୁ ଆମକୁ ଅନେକ କିଛି ଶିଖିବାର ଅଛି ।

Leave A Reply

Your email address will not be published.