ପଦ୍ମପୁର ଠାରେ ନୁତନ ଚାଷୀ ବିଲ୍‌କୁ ନେଇ କୃଷକ ଚେତାବନୀ ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି କ୍ଷେତ୍ରରେ କମ୍ପାନୀ କରଣ ତଥା ନୂତନ ତିନି ଆଇନକୁ ବିରୋଧ କରି ଆଜି ପଦ୍ମପୁର ଆରଏମସି. ପଡିଆ ଠାରେ ରାଜବୋଡାସମ୍ବର କୃଷକ ସଂଙ୍ଗଠନ ଆହ୍ବାନରେ କୃଷକ ଚେତାବନୀ ବିକ୍ଷୋଭ ସହ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ପଦ୍ମପୁର ଉପଖଣ୍ତର ବିଭିନ୍ନ ଅଂଚଳରୁ ଚାଷୀ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଚାଷୀ ସଂଗଠନ ମାନଙ୍କର ନେତୃମଣ୍ତଳୀ ମଧ୍ୟ ଯୋଗ ଦେଇଥିଲେ । ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ଯୋଗଦାନ ପାଇଁ ଆସି ଥିବା ଚାଷୀମାନଙ୍କୁ ସେନିଟାଇଜର ସହ ମାସ୍କ ବଣ୍ଟନ କରା ଯାଇଥିଲା ।

ପରେ ଚାଷୀମାନଙ୍କୁ ନେଇ ପଦ୍ମପୁର ସହରରେ ଏକ ବିଶାଳ ଶୋଭାଯାତ୍ରା ସହ ପଡିଆ ସ୍ଥିତ ସଭାସ୍ଥଳୀକୁ ପହଂଚି ନୂତନ କୃଷି ଆଧ୍ୟାଦେଶ ବିଲ ଯଥା, କୃଷି ଜାତ ଦ୍ରବ୍ୟ ବିକ୍ରୟ କମିଟି ଆଇନ ୧୯୫୫କୁ ସଂଶୋଧନ କରି କୃଷି ଜାତ ଦ୍ରବ୍ୟ ବେପାର ଓ ବାଣିଜ୍ୟ ପ୍ରୋତ୍ସାହନ ଏବଂ ସରଳିକରଣ ଆଇନ ୨୦୨୦ ଯୋଗୁଁ କମ୍ପାନୀ ମାନଙ୍କ ମନମୁଖୀ କିଣା ବିକା ବୃଦ୍ଧି ଏବଂ ମଣ୍ତି ବ୍ୟବସ୍ଥା ବାଧା ପ୍ରାପ୍ତ ହେବା, କୃଷକମାନଙ୍କ ସଶକ୍ତି କରଣ ଓ ସୁରକ୍ଷା ପାଇଁ ଚୁକ୍ତିଭିତ୍ତିକ ଦର ନିଶ୍ଚିତତା ଓ କୃଷି ସେବା ଆଇନ ୨୦୨୦ ଯୋଗୁଁ କୃଷି ଉପରେ ନିର୍ଭର ପ୍ରାୟ ୮୦% ମଧ୍ୟମ, କ୍ଷୁଦ୍ର ଓ ଭୁମି ହିନ ଚାଷୀ ବେରୋଜଗାର ହେବା, ଅତି ଆବଶ୍ୟକୀୟ ସାମଗ୍ରୀ ଆଇନ ଯୋଗୁଁ ଆଳୁ, ପିଆଜ, ଗହମ, ଧାନ, ଡାଲି ଆଦିର କମ୍ପାନୀ ଇଚ୍ଛା ଅନୁସାରେ କଳାବଜାରୀ ବଢିବାର ସୁଯୋଗ ଥିବାରୁ ଚାଷୀମାନଙ୍କ ଅଧିକାର ପ୍ରତି ଏହା ବାଧା ସୃଷ୍ଟି କରିବ ବୋଲି ଉକ୍ତି ବାଢିବା ସହ ଏହା ବିରୋଧରେ ସଚେତନ ହେବା ପାଇଁ ଚାଷୀମାନଙ୍କୁ ବୁଝେଇଥିଲେ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଅଶୋକ ପଧାନ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ପ୍ରବକ୍ତା ସରୋଜ, ରାଜବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ, ଲିଙ୍ଗରାଜ ପଧାନ, ଆଡଭୋକେଟ୍ ଅଜିତ ଶତପଥୀ, ରୋହିତ ପଧାନ, ଦହିତ ପଧାନ ପ୍ରମୁଖ ଚାଷୀ ନେତା କାର୍ୟ୍ୟକ୍ରମରେ ଯୋଗ ଦେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ସାମାଜିକ କର୍ମୀ ଟୁଇଟର୍ ମାଷ୍ଟର ଦିବସ କୁମାର ସାହୁ ଏବଂ ଟୁଇଟର୍‌ କୁଇନ୍ ଦୀପା ବାରିକଙ୍କୁ ସମାଜ ସେବା କ୍ଷେତ୍ରର ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.