- କୃଷି ଉତ୍ପାଦ ସହ ବଜାର ସଂଯୋଗୀକରଣ ଓ କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର : ଦେଶରେ ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରୁ ଉତ୍ପାଦିତ ସୁଗନ୍ଧିତ ଚାଉଳର ବଜାର ଚାହିଦା ଥିବା ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଲ୍ଲେଖ କରିଛନ୍ତି । କୃଷି ଓଡ଼ିଶା – ୨୦୨୫ ଦ୍ଵିତୀୟ ଦିନରେ ମୁଖ୍ୟମଞ୍ଚରେ ଅନୁଷ୍ଠିତ “ସୁଗନ୍ଧିତ ଚାଉଳ : ଜୈବିକ କୃଷି ପଦ୍ଧତି ଓ ବିପଣନ” ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସିଂହଦେଓ କହିଲେ ଯେ, ଜୈବିକ କୃଷି ହିଁ ନିରନ୍ତର ଖାଦ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ପୂରଣ କରିପାରିବ । ପ୍ରକୃତି ପ୍ରଦତ୍ତ ଉତ୍ପାଦ ଓ ବିଭିନ୍ନ ବୃକ୍ଷରେ ଉପଲବ୍ଧ ଔଷଧୀୟ ଗୁଣବତ୍ତା ଶରୀର ପାଇଁ ଉପାଦେୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତରରେ କୃଷକମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଥିବା ସେ କହିଥିଲେ । ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ରାଜ୍ୟର ବିଭିନ୍ନ କୃଷି ଉତ୍ପାଦକୁ ବଜାର ସହ ସଂଯୋଗୀକରଣ କରାଯାଉଛି ଯାହାଦ୍ୱାରା ଜଣେ ଚାଷୀ ଲାଭାନ୍ୱିତ ହୋଇପାରିବ ବୋଲି ସୂଚନା ଦେଇଥିଲେ । ରାଜ୍ୟରେ ସୁଗନ୍ଧିତ ଚାଉଳ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ସହ ଏହାର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୪୧୦୦ ଟଙ୍କା ପ୍ରଦାନ କରାଯାଉଛି । ଜୈବିକ କୃଷିକୁ ପ୍ରୋତ୍ସାହିତ କରାଯିବା ସହ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏ କ୍ଷେତ୍ରରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ସେହିଭଳି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ଜୈବିକ ପଦ୍ଧତିରୁ ଉତ୍ପନ୍ନ ଚାଉଳକୁ ବ୍ୟବହାର କରାଯିବା ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ । ସେହିଭଳି ଏକ ହଜାରରୁ ଅଧିକ ଦେଶୀୟ ଧାନ ସଂରକ୍ଷଣ ଲାଗି ଚାଷୀ ସୁଦାମ ସାହୁଙ୍କୁ ଡଃ ପାଢ଼ୀ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଡିନ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ନେଦରଲ୍ୟାଣ୍ଡରେ କାର୍ଯ୍ୟରତ ଡଃ ବିଜୟ ଚୌଧୁରୀ, ଡବ୍ଲୁଟିଓର ସଚିନ କୁମାର ଶର୍ମା, ଏକ୍ସଆଇଏମବି ପ୍ରଫେସର ଅମର କୁମର ନାୟକ ପ୍ରମୁଖ ଯୋଗଦେଇ ଜୈବିକ କୃଷି ଓ ସୁସ୍ଥ ଭବିଷ୍ୟତ, ପୁନର୍ଜୀବିତ କୃଷି, ଚାଉଳର ଆନ୍ତର୍ଜାତିକ ବଜାରୀକରଣ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କନକ ବାୟୋସାଇନ୍ସ ରିସର୍ଚ୍ଚ ପ୍ରା ଲିଃ ସହ ସ୍ମାର୍ଟ କଫି ଓ ଇମ୍ପ୍ୟାକ୍ଟ ଏକ୍ସ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରମୁଖ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ । ଏହା ସହ ଆଜି ୨ଟି ସେମିନାର ହଲରେ ୮ଟି ଅଧିବେଶନ ବିଭିନ୍ନ ବିଷୟରେ କରାଯାଇଥିଲା । ଏଥିରେ ବହୁସଂଖ୍ୟକ ଚାଷୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଡ଼ଃ. ରାଜେଶ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।