- ୭.୮ଲିଟର ଦେଶୀ ମଦ, ୩୩ ଲିଟର ବିୟର, ୬ ଲିଟର ଦେଶୀ ମଦ ଜବତ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ଥାନା ଦ୍ୱାରା ସହରରେ ପେଟ୍ରୋଲିଙ୍ଗ ବେଳେ ଜଣେ ବ୍ୟକ୍ତିଠାରୁ ବେଆଇନ ଭାବେ ମହଯୁଦ ଥିବା ୭.୮ ଲିଟର ଦେଶୀ ମଦ, ୩୩.୬୫୦ ଲିଟର ବିୟର ଓ ୬.୭୫୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ବ୍ୟକ୍ତି ଜଣକ ହେଲେ କଣ୍ଟାବାଞ୍ଜି ନୂଆପଡା ନିବାସୀ ରତନ ବେହେରା (୩୦) । ଚଢଉ ବେଳେ କଣ୍ଟାବାଞ୍ଜି ଅବକାରୀ ଥାନା ଅଧିକାରୀ ପ୍ରବୀଣ କୁମାର ବେହେରା, ଏ. ଏସ୍. ଆଇ. ଆର୍ତତ୍ରାଣ ବୋହିଦାର, କନେଷ୍ଟେବଲ୍ ରଞ୍ଜନ ମିଶ୍ର, ଆଶିଷ ପଟେଲ ଏବଂ ମମତା ବେହେରା ସାମିଲ ଥିଲେ । ଚଳିତ ନିର୍ବାଚନୀରେ ଅବାଧ ଏବଂ ଚୋରୀ ମଦ କାରବାର ରୋକିବା ପାଇଁ ଜିଲ୍ଲାପାଳ ବଲାଙ୍ଗିର ଏବଂ ଅବକାରୀ ଅଧ୍ୟକ୍ଷକଙ୍କ ନିର୍ଦ୍ଧେଶକ୍ରମେ ଅବକାରୀ ବିଭାଗ ତରଫରୁ ଚଢଉ କରାଯାଉଥିବା ଜଣାପଡିଛି । କିଛି ଦିନ ତଳେ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ରେଲୱେ ଷ୍ଟେସନ୍ ଅଂଚଳରେ ବେଆଇନଭାବେ ଗଢି ଉଠିଥିବା କୁଚିଆ ମଦ ବେପାରୀ ଏବଂ ବାରରେ ଚଢଉ କରାଯାଇଥିଲା । ଚଢଉ ବେଳେ ପ୍ରକୃତ ମାଲିକମାନେ ଫେରାର ମାରିଥିବା ବେଳେ କାମ କରୁଥିବା କର୍ମଚାରୀମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କଣ୍ଟାବାଞ୍ଜି ରେଲୱେ ଷ୍ଟେସନ୍ ଅଂଚଳରେ ରେଲୱେ ସୁରକ୍ଷା ପୋଲିସ ଏବଂ ଜି. ଆର. ପି. ପୋଲିସ ଦ୍ୱାରା ସୁରକ୍ଷା ମିଳୁଥିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଅବାଧରେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି ।