ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବଢ଼ୁଛି ଚାହିଦା

  • ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଦିବ୍ୟ କଳା ମେଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ
  • ଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଏବଂ ସୃଜନଶୀଳତା ମେଳାକୁ ଆସୁଥିବା ଲୋକଙ୍କୁ ପ୍ରଭାବିତ କରୁଛି

ଭୁବନେଶ୍ୱର, (ପିଆଇବି) : ଗୁଜରାଟ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ମୋବାଇଲ୍ ବିକିରଣକୁ ହ୍ରାସ କରିବା ଲାଗି ଗାଈ ଗୋବରରୁ ଏକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରିଛି । ଏହାକୁ ମୋବାଇଲ ପଛରେ ଲଗାଇଲେ ବିକିରଣ କାରଣରୁ ଶରୀରକୁ ହେଉଥିବା କ୍ଷତି ହ୍ରାସ କରାଯାଇପାରିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେଜଣ ଭିନ୍ନକ୍ଷମ ପିଲା ମିଶି ଏହିସବୁ ଉତ୍ପାଦକୁ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦିବ୍ୟ କଳା ମେଳାରେ ଏହି ସଂସ୍ଥା ନିଜର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରୁଛି । ଭାରତୀୟ ପୁରାଣରେ ବର୍ଣ୍ଣିତ ତଥ୍ୟକୁ ଆଧାର କରି ଏହି ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ସଂସ୍ଥାର କର୍ମକର୍ତ୍ତା କହିଛନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗତ ୫ତାରିଖ ଠାରୁ ଆରମ୍ଭ ହୋଇଥିବା ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ସମେତ ଦେଶର ବିଭିନ୍ନ ସ୍ଥାନରୁ ଦିବ୍ୟାଙ୍ଗ କାରୀଗର, ଶିଳ୍ପୀ ଓ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି । ଉତ୍ତରପ୍ରଦେଶ ବାରାଣସୀର ଦିବ୍ୟାଙ୍ଗ କାରୀଗର ସମଶେର ଅନସାରୀ ନିଜର ହସ୍ତତନ୍ତ ଶାଢ଼ି ନେଇ ଦିବ୍ୟ କଳାମେଳାରେ ଯୋଗ ଦେଇଛନ୍ତି । ସେହିପରି କେରଳ ତ୍ରିଶୂରର ଦିବ୍ୟାଙ୍ଗ କାରୀଗର ସୁରଜ ବର୍ଜ୍ୟ ସାମଗ୍ରୀରୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଚଲାବୁଲା କରିପାରୁନଥିବା ସତ୍ତ୍ୱେ ନିଜର ପ୍ରତିଭା ବଳରେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦିବ୍ୟ କଳା ମେଳାରେ ତାଙ୍କ ଉତ୍ପାଦର ମଧ୍ୟ ବିଶେଷ ଚାହିଦା ଦେଖିବାକୁ ମିଳିଛି । ଆଉ ଜଣେ ମୁକ ବଧିର ଭିନ୍ନକ୍ଷମ କାରୀଗର ଶ୍ରୀହର୍ଷ ଶୁକ୍ଳା ନିଜ ପ୍ରସ୍ତୁତ ଚିତ୍ରକଳା ନେଇ ମେଳାରେ ଅଂଶଗ୍ରହଣ କରିଛନ୍ତି । ମେଳାକୁ ଆସୁଥିବା ପରିଦର୍ଶକମାନେ ଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଓ ସୃଜନଶୀଳତାକୁ ଦେଖି ପ୍ରଭାବିତ ହୋଇଛନ୍ତି । ସୂଚନାଯୋଗ୍ୟ, ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଏହି ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶିତ ହୋଇଛି । ଆଗନ୍ତୁକମାନେ ଏଠାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ, ପୋଷାକ, ଷ୍ଟେସନାରୀ, ପରିବେଶ ଅନୁକୂଳ ଉତ୍ପାଦ, ପ୍ୟାକେଟ୍ ଖାଦ୍ୟ, ଜୈବିକ ଉତ୍ପାଦ, ଖେଳନା, ଉପହାର, ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍ ବ୍ୟାଗ ଏବଂ ଚିତ୍ରକଳା ପାଇପାରିବେ ।

Leave A Reply

Your email address will not be published.