ବିଭିନ୍ନ ତେଲ ରିପ୍ୟାକେଜିଙ୍ଗ୍ ଗୋଦାମ, ମିକ୍ସଚର ଫ୍ୟାକ୍ଟ୍ରି ଓ ମସଲା ଫ୍ୟାକ୍ଟ୍ରିରେ ପୋଲିସର ମିଳିତ ଚଢଉ : ବେଆଇନ କାରବାର ସାମ୍ନାକୁ ଆସିଲା
କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟର ଚଢଉ ପ୍ରତ୍ୟେକ ଦିନ ଯାରି ରହିଥିବା ବେଳେ ଆଜି ସୋମବାର ଦିନ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ନିତିନ କେ.ଦାଗଡୁଙ୍କ ନିେର୍ଦ୍ଦେଶ କ୍ରମେ ଆଜି ଦିନ ତମାମ ସହରରେ ଥିବା ବିଭିନ୍ନ ତେଲ ଗୋଦାମ, ମସଲା ଫ୍ୟାକ୍ଟ୍ରି ଓ ମିକ୍ସଚର କାରଖାନା ଉପରେ ସ୍ଥାନୀୟ ପୋଲିସ ଚଢଉ ହୋଇଛି ।
ଚଟୁଅନକାସ୍ଥିତ ଇଲେକ୍ଟ୍ରି ଗ୍ରୀଡ୍ ନିକଟରେ ଥିବା ବିକାଶ ଜୈନଙ୍କ ମିକ୍ସଚର ଫ୍ୟାକ୍ଟ୍ରି, ଗୋକୁଲ ଧାମ ନିକଟରେ ଥିବା ବିଶାଲ ଅଗ୍ରୱାଲଙ୍କ ତେଲ ରିପ୍ୟାକେଜଙ୍ଗ ଗୋଦାମ, ବଲାଙ୍ଗିର ମୁଖ୍ୟ ରାସ୍ତା କଡ଼ରେ ଥିବା ସଂଜୟ ଅଗ୍ରୱାଲଙ୍କ ତେଲ ଗୋଦାମ, ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟସ୍ଥ ବିନୋଦ ଅଗ୍ରୱାଲଙ୍କ ଏସ.ଏମ.ୟୁ, ମସଲା ୟୁନିଟ, ବିକାଶ ଅଗ୍ରୱାଲଙ୍କ ମିକ୍ସଚର ଫ୍ୟାକ୍ଟ୍ରି ଉପରେ ଏକା ସାଂଗରେ ପୋଲିସ ଚଢଉ ହୋଇଛି ।
ଚଢଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରି ଗୁଡିକରେ ନିମ୍ନମାନର ତେଲ, କେମିକାଲ ରଂଗ ଦିଆ ମିକ୍ସଚର ତିଆରି ଚାଲୁଥିବା ବେଳେ ସଂପୃକ୍ତ ଖାଦ୍ୟ ନିରୀକ୍ଷକଙ୍କ କାର୍ୟ୍ୟାଳୟରୁ କୌଣସି ଫୁଡ୍ ଲାଇସେନ୍ସ, ପେକେଜିଂଗ ଲାଇସେନ୍ସ, ଟ୍ରେଡ ଲାଇସେନ୍ସ, ଏକ୍ସପ୍ୟାରୀ ତାରିଖ, ମେନୁପେକ୍ଚରିଙ୍ଗ ତାରିଖ ନ ଥିବା ପ୍ୟାକେଟରୁ ଜାଣିବାକୁ ପାଇଲେ । ଏପରିକି ତେଲ ୟୁନିଟ ଗୁଡିକରେ ଗୋଟିଏ ଫୁଡ ଲାଇସେନ୍ସରେ ବିଭିନ୍ନ କଂପାନୀ ନାମରେ ପୁରୁଣା ଟିଣରେ ରେପର୍ ଲଗାଇ ରି-ପ୍ୟାକେଜିଂଗ କରି ଚଢା ଦରରେ ବିକ୍ରୟ ହେଉଥିବା ଜଣାପଡିଛି ।
ସେହିପରି ଏସ.ଏମ.ୟୁ. ମସଲା ୟୁନିଟ ସୋନପୁର ଜିଲ୍ଲାର ଏକ୍ସପ୍ୟାରୀ ଟ୍ରେଡ ଲାଇସେନ୍ସରେ କଂଟାବାଂଜିରେ ଏସ.ଏମ.ୟୁ. ବ୍ରାଣ୍ଡରେ ବିଭିନ୍ନ ପ୍ରକାରର ଖାଦ୍ୟ ମସଲା ତିଆରି ହେଉଥିବା ଦେଖିବାକୁ ମିଳିଛି । ଏପରିକି ପ୍ୟାକିଂଗରେ କୌଣସି ଟ୍ରେଡ ମାର୍କ, ପ୍ୟାକେଜିଂଗ ତାରିଖ, ବେଚ୍ ନଂବର, ଏକ୍ସପ୍ୟାରୀ ତାରିଖ ନ ଥିବା ଜଣାପଡିଛି । ଏସ.ଏମ.ୟୁ. ମସଲା ୟୁନିଟରେ ଥିବା ପ୍ୟାକେଜିଂଗ ମେସିନ ଗୁଡିକର କୌଣସି ଭେରିଫିକେସନ ସାର୍ଟିିଫିକେଟ ମହଜୁଦ ନ ଥିବା ବେଳେ ମାଲିକ ଏକ୍ସପ୍ୟାରୀ ହୋଇଥିବା ସ୍ୱୀକାର କରିଥିଲେ ।
ଏହି ଚଢଉ ପରେ ଓଜନ ଓ ମାପ ବିଭାଗ ପକ୍ଷରୁ ବିଶାଲ ଅଗ୍ରୱାଲଙ୍କୁ ୨୦ହଜାର ଫାଇନ, ଏସ.ଏମ.ୟୁ.ୟୁନିଟ ମାଲିକଙ୍କୁ ୩୫ ହଜାର ଜୋରିମାନା କରାଯାଇଛି । ମିକ୍ସଚର ଫ୍ୟାକ୍ଟ୍ରି ଦୁଇଟିକୁ ସିଲ କରିବା ପାଇଁ ଏସ.ପି. ସ୍ଥାନୀୟ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଥିବା ଜଚ୍ଚାପଡ଼ିଛି । ଏହି ଚଢଉ ସଂଧ୍ୟା ଯାଏଁ ଜାରି ରହିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାଗଡ଼ୁ କଂଟାବାଂଜି ଗସ୍ତରେ ଆସି ଘଟଣା ସ୍ଥଳରେ ପହଂଚି ତଦାରଖ କରି ଫେରିଯାଇଛନ୍ତି ।
ଏହି ଚଢଉରେ ସ୍ଥାନୀୟ ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, କଂଟାବାଂଜି ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଥାନାର ସମସ୍ତ ପୋଲିସ ଅଧିକାରୀ ଓ ଫୋର୍ସ ସହ ବଲାଙ୍ଗିର ଖାଦ୍ୟ ନିରୀକ୍ଷକ ବିଶ୍ୱଜିତ ସିଂକୁ, ଓଜନ ଓ ମାପ ନିୟନ୍ତ୍ରକ ସହକାରୀ କମିଶନର ବି.ବି.ଏନ.ଦାସ, ଟିଟିଲାଗଡ ମାପ ଓ ଓଜନ ନିରୀକ୍ଷକ ସୁନିତା ପଣ୍ଡାଙ୍କ ନେତୃତ୍ୱରେ ଚଢଉ ହୋଇଛି । ଖବର ଲେଖା ହେବା ପର୍ୟ୍ୟନ୍ତ ଚଢଉ ଜାରି ରହିଥିବା ବେଳେ ସିଜର୍ ସାମଗ୍ରୀର କାଗଜପତ୍ର ସଂଗ୍ରହ ଜାରି ରହିଥିବା ସହ କାହାକୁ ଗିରଫ କରାଯାଇଥିବା ଖବର ମିଳିନାହିଁ ।