ପାଟଣାଗଡ଼ ପୋଲିସର ଚଢ଼ଉ, ଆଞ୍ଚଳିକ ନେତା ସହ ଦୁଇ ଜଣ ଗିରଫ, ଭଡାଘରେ ଚାଲିଥିଲା ଦେହ ବେପାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ କାଦୋପଡାରେ ସେକ୍ସ ରେକେଟ ଠାବ ହୋଇଥିବା ସୂଚନା ମିଳିଛି । ଜଣେ ଦେହଜୀବୀଙ୍କ ସହ ଦୁଇ ଗ୍ରାହକ ଓ ସେମାନଙ୍କ ମଧ୍ୟରୁ ଜଣେ ଆଞ୍ଚଳିକ ନେତା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନା ଅନୁସାରେ ଗୁରୁବାର ରାତିରେ କାଦୋପଡ଼ା ବେହେରାବନ୍ଧ ରାସ୍ତା କଡରେ ଗୋଟିଏ ଭଡାଘରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ପାଟଣାଗଡ଼ ପୋଲିସ । ଉକ୍ତ ଭଡାଘରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ପୋଲିସ ନିକଟରେ ସୂଚନା ଥିବା ବେଳେ ସେହି ସୂଚନା ଆଧାରରେ ଗୁରୁବାର ପାଟଣାଗଡ଼ ପୋଲିସ ଟିମ୍‌ ଭଡାଘର ଉପରେ ଚଢ଼ଉ କରିଥିଲା । ଏହି ଚଢ଼ଉ ବେଳେ ଦେହ ବ୍ୟବସାୟରେ ଲିପ୍ତ ଥିବା ଯୁବତୀଙ୍କ ସମେତ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ମୋଟ ୩ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଜଣେ ଯୁବତୀ ସାମିଲ୍‌ ଥିବା କୁହାଯାଇଛି । ଗିରଫ ଗ୍ରାହକଙ୍କ ମଧ୍ୟରେ ପାଟଣାଗଡ଼ ବଡପଡାର ପଞ୍ଚା ମେହେର(୩୮) ଏବଂ ପାଢେଲ ଗ୍ରାମର ଜଣେ ସମ୍ପଦ ପୋଡ଼ ବୋଲି ଜଣାପଡିଛି । ତାଙ୍କ ନିକଟରୁ ଗୋଟିଏ କଣ୍ଡମ ପେକେଟ, ୨ଟି ଉତ୍ତେଜିତ ଟାବଲେଟ, ୨ଟି ମୋବାଇଲ ଓ ନଗଦ ୨୫୦୦ ଟଙ୍କା ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି ପୋଲିସ ଦୁଇଜଣ ଯୁବକ ଓ ସଂପୃକ୍ତ ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଦେଇଥିବା ବେଳେ ଦୁଇ ଜଣ ଯୁବକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.