ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମର ମାସ କହିଲେ କାର୍ତ୍ତିକ ମାସକୁ ହିଁ ବୁଝାଏ । ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧା ଯାଇନାହିଁ । ଆମିଷ ପ୍ରେମୀମାନେ ଅପେକ୍ଷା କରିଛନ୍ତି ଛାଡଖାଇକୁ । ଏଥର ପଞ୍ଚୁକ ଚାରିଦିନ । ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ୟକ୍ତିମାନେ ଚିନ୍ତାରେ ପଡିଛନ୍ତି । ପ୍ରକୃତ ଛାଡଖାଇ ଆମିଷ ବିନା ମାଡ ଖାଇଗଲା ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଭୋଜିରେ ଆମିଷ ନହେଲେ ଅତିଥିମାନଙ୍କ ସଂଖ୍ୟା କମି ଯିବାର ବହୁ ନଜରରେ ଆସୁଛି । ମାର୍ଗଶୀର ମାସ ଗୁରୁବାର ପ୍ରଥମ ପାଳି ହୋଇଥିବାରୁ ଗୃହିଣୀମାନେ ଆଗରୁ ସତର୍କ କଲେଣି ଆମିଷ ନ ଆଣିବାକୁ । ଆମିଷ ଦର ମଧ୍ୟ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳବାସୀମାନେ ନିକଟସ୍ଥ ଆମିଷ ବଜାରରୁ ଆମିଷ କିଣିବେ । ହେଲେ ଏବେଠାରୁ ହିଁ କୁଇଣ୍ଟାଲ କୁଇଣ୍ଟାଲ ବଏଲର କୁକୁଡ଼ା ଗାଡି ଆସି ଗୋଦାମରେ ଷ୍ଟକ ରଖାଯାଉଛି । ଗୋଦାମ ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ ଏଥର ୫ଶହରୁ ଉର୍ଦ୍ଧ କୁଇଣ୍ଟାଲ ମାଛ, ମାଂସ ଓ ଚିକେନ ବିକ୍ରି ହେବ ବୋଲି ଆକଳନ କରାଯାଇଛି । ଏଥର ଛାଡଖାଇ ଗୁରୁବାର ପଡୁଥିବାରୁ ଅନେକ ଆମିଷ ଖାଇବା ପରିବାର ଓ ସାଙ୍ଗମେଳ ଶୁକ୍ରବାରକୁ ଆମିଷ ରୋଷେଇ ପାଇଁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ହୋଟେଲ ଗୁଡିକ କେତେ ମାଛ, ମାଂସ, ଚିକେନ ଓ ଅଣ୍ଡା ଆଣିବେ ତାର ଯୋଜନା ମଧ୍ୟ ଚାଲିଛି । ବର୍ତ୍ତମାନ ବାଲିଗୁଡା ଆମିଷ ବଜାରରେ ଭାକୁର, ଆନ୍ଧ୍ର ଓ ଦେଶୀ ରୋହି, ମିଟିକାଳ ଓ ଛୋଟ ଚୁନା ମାଛ କିଲୋ ପ୍ରତି ୧୮୦ ଟଙ୍କା ରହିଥିବା ବେଳେ ଛୋଟ ଓ ବଡ ଚିଙ୍ଗୁଡି ୪୦୦ ରୁ ୬୦୦ ଟଙ୍କା ରହିଛି । ଗୋଟା ବଏଲର ୧୨୦ ଟଙ୍କା, କଟା ଚିକେନ କିଲୋ ୧୮୦ ରହିଛି, ସାଧା ମଟନ କିଲୋ ୮୦୦, ଖାସି ମଟନ ୧୦୦୦ ଟଙ୍କା ରହିଛି । ଛାଡଖାଇ ଦିନ ଏହି ଦର ବଢ଼ିବାର ଆଶଙ୍କା ରହିଛି । ଶୁକ୍ରବାର ସକାଳୁ ସକାଳୁ ବିଭିନ୍ନ ଆମିଷ ଦୋକାନରେ ଖାଉଟିମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିଜର ପସନ୍ଦ ଆମିଷ ଜିନିଷ ନେବେ ପୂର୍ବ ପ୍ରସ୍ତୁତିର ସୂଚନାରୁ ଜଣାପଡିଛି ।
Prev Post