ମହାନଦୀ ବିବାଦରେ ଓଡିଶାର ବ୍ୟୟବହୁଳ ଲଢେଇ

  • ଫଳାଫଳ ସନ୍ତୋଷଜନକ ନୁହେଁ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲରେ ଓଡିଶା ସରକାର ଦ୍ୱାରା ନିଯୁକ୍ତ ଆଇନଜୀବୀ, ସିନିଅର ଆଡଭୋକେଟ ଓ ଲ’ ଫାର୍ମମାନଙ୍କୁ ବିପୁଳ ଅର୍ଥରାଶି ପ୍ରାପ୍ୟ ବାବଦକୁ ଦିଆଯାଉଥିଲେ ମଧ୍ୟ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରୁ ରାଜ୍ୟ ବିଶେଷ ସଫଳତା ପାଇନଥିବା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି ଯେ, ଗତ ୨୯/୧୧/୨୦୧୬ରେ ତତ୍କାଳୀନ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ ଜେନା ଅଗ୍ରଓ୍ୟାଲ ଲ’ ଏସୋସିଏଟସ୍‌ର ଇସି ଅଗ୍ରୱାଲଙ୍କୁ ପତ୍ର ମାଧ୍ୟମରେ ବିଭିନ୍ନ ଆଇନଜୀବୀ ଓ ଲ’ ଫର୍ମ ଗୁଡିକର ଫି ଷ୍ଟ୍ରକ୍‌ଚର ଗୁଡିକୁ ସରକାର ମଞ୍ଜୁର କରିଥିବା ଜଣାଇଥିଲେ । ଏହି ପତ୍ର ଅନୁଯାୟୀ ଅଗ୍ରୱାଲ ଏସୋସିଏଟ୍ସ୍‌ର ପ୍ରତ୍ୟେକ ହାଜିରା ପାଇଁ ୭୫ ହଜାର ଟଙ୍କା, ଆଉଟ ଷ୍ଟେସନ ଫି ଦୈନିକ ୨୨୫୦୦୦, ପ୍ରସ୍ତୁତି ତଥା ବରିଷ୍ଠ ଓକିଲଙ୍କ ସହ ପରାମର୍ଶ ପାଇଁ ଘଣ୍ଟା ପିଛା ୧୫୦୦୦ ଟଙ୍କା ଓ କ୍ଲର୍କେଜ ପାଇଁ ଫିର ୧୦ ପ୍ରତିଶତ ଉଲ୍ଲଖ ରହିଥିବା ବେଳେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ଫି ଷ୍ଟ୍ରକ୍‌ଚର ରିଟେନରସିପ ଫି ବାବଦକୁ ୨୦ ଲକ୍ଷ, ଶୁଣାଣି ପ୍ରତି ୧୦ ଲକ୍ଷ, ନୋଟିସ ପରବର୍ତ୍ତି ହାଜିରା ପାଇଁ ୧୫ ଲକ୍ଷ ଟଙ୍କା ଓ କନଫରେନ୍ସ ପିଛା ୫ରୁ ୭ ଲକ୍ଷ ଟଙ୍କା ଇତ୍ୟାଦି ଉଲ୍ଲେଖ ରହିଛି । ଆଇନଜୀବୀ ମୋହନ ଭି କଟର୍କିଙ୍କ ପାଇଁ ହାଜିରା ପିଛା ୨୫୦୦୦୦, ସାକ୍ଷୀଙ୍କୁ ଜେରା ବାବଦକୁ ଦୈନିକ ୪ ଲକ୍ଷ, କେସ ପ୍ରସ୍ତୁତି ପାଇଁ ଘଣ୍ଟା ପିଛା ୪୪ ହଜାର ଟଙ୍କା, ଆଉଟ ଷ୍ଟେସନ ଗସ୍ତ ଖର୍ଚ୍ଚ ଦୈନିକ ୩ ଲକ୍ଷ ଟଙ୍କା ଇତ୍ୟାଦି ରହିଥିବା ବେଳେ ଆଇନଜୀବୀ କରନ ଲାହିରିଙ୍କ ପାଇଁ ମକଦ୍ଦମା ପ୍ରସ୍ତୁତି ଓ ଅଧିକାରୀଙ୍କ ସହ ଆଲୋଚନା ଇତ୍ୟାଦି ପାଇଁ ଘଣ୍ଟା ପ୍ରତି ୧୧୦୦୦ ଟଙ୍କା, ପ୍ରତ୍ୟେକ ହାଜିରା ପାଇଁ ୨୫୦୦୦ ଟଙ୍କା, ଆଉଟ ଷ୍ଟେସନ ଫି ୪୪ ହଜାର ଟଙ୍କା ଇତ୍ୟାଦିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥରବା ଉଲ୍ଲେଖ ରହିଛି । ପୁଣି ୨୯ ଜୁଲାଇ ୨୦୧୯ ମସିହାରେ ମୋହନ ଭି କଟର୍କିଙ୍କ ଫି ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଥିବା କଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଲାଲା ମନୋଜ କୁମାର ରାୟ ପତ୍ରରେ ଉଲ୍ଲେଖ କରିଛନ୍ତି । ଆଇନଜୀବୀ ଡ. ଆନନ୍ଦିତା ପୁଜାରୀ ଓ ରନବୀର ସିଂଙ୍କ ଫି ଷ୍ଟ୍ରକଚର୍‌ ମଧ୍ୟ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କକରାଯାଇଛି । ମହାନଦୀ ଜଳ ବିିବାଦ ଟ୍ରିବ୍ୟୁନାଲରେ ଶୁଣାଣି ପିଛା ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଓଡିଶା ସପକ୍ଷରେ କୌଣସି ସଫଳତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ବୋଲି ଶ୍ରୀ ପଣ୍ଡା କହଛନ୍ତି । ଛତିଶଗଡ ସରକାର ଏକତରଫା ଭାବେ ମହାନଦୀ ପାଣି ବ୍ୟବହାର କରି ଓଡିଶା ପ୍ରତି ଦୀର୍ଘ ବର୍ଷ ଧରି କରି ଆସୁଥିବା ଅନ୍ୟାୟର ଆଶୁସମାଧାନ ପାଇଁ ଓଡିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଏକ ସକାରାତ୍ମକ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା କହିବା ସଙ୍ଗେ ଟ୍ରିବ୍ୟୁନାଲରୁ ଓଡିଶାକୁ ନିକଟ ଭବିଷ୍ୟତରେ ବିଶେଷ ଫାଇଦା ମିଳିବା ଆଶା କ୍ଷୀଣ ବୋଲି ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.