ବିଶିଷ୍ଟ ବ୍ୟଙ୍ଗକବି ପ୍ରଶାନ୍ତ କୁମାର ନାୟକ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବିଶିଷ୍ଟ ବ୍ୟଙ୍ଗକବି ନିକଟସ୍ଥ ସିନ୍ଧେକେଲା ନିକଟସ୍ଥ ଚାନ୍ଦୋତରା ନିବାସୀ ପ୍ରଶାନ୍ତ କୁମାର ନାୟକ(୬୮)ଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ତାଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କରୋନା ଆକ୍ରାନ୍ତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଥିବା ଆଲୋଚନା ହେଉଛି । ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ସେ ବୈଦ୍ୟ ଭାବେ ଲୋକଙ୍କ ସେବା କରୁଥିଲେ । ଜଣେ ଉଦାର, ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସେ ସାରା ଅଂଚଳରେ ଜଣାଶୁଣା ଥିଲେ । ମୁଖ୍ୟତଃ ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ବିଶେଷ ସହଯୋଗ ପ୍ରଦାନ କରୁଥିଲେ ସେ । ବ୍ୟଙ୍ଗ କବିତା ଲେଖି ଲୋକଙ୍କୁ ହସ ଯୋଗାଉଥିବା କବି ପ୍ରଶାନ୍ତ କୁମାର ନାୟକ ଟିଟିଲାଗଡ଼ ଅଂଚଳର ବହୁ ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସମସ୍ତଙ୍କୁ ଆପଣେଇ ନେବାର ଆତ୍ମୀୟ ଭାବ ଯୋଗୁଁ ସେ କବି, ଲେଖକଙ୍କ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ପ୍ରାବନ୍ଧିକ ତଥା କୋଶଲୀ ଭାଷା ସାହିତ୍ୟ ଗବେଷକ ଡ. ଦୋଳଗୋବିନ୍ଦ ବିଶି, କବି ଗଜାନନ ମିଶ୍ର, କବି ଭିକାରୀ ମିଶ୍ର, କବି ଚତୁର୍ଭୁଜ ସାଆନ୍ତ, କବି ନୀଳମଣି ସାହୁ, ବ୍ୟଙ୍ଗକବି ଟିକେଲାଲ ବେହେରା, ‘କୋଶଳ ପ୍ରବାହ’ର ସଂପାଦକ କବି ଆନଂଦ ଚଂଦ୍ର ସାହୁ, କବି ନବୀନ ବିଶ୍ୱବନ୍ଧୁ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.