କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା

  • ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ, ୪୦୦ ଜିଲ୍ଲାରେ ହେବ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବ୍ୟବହାର
  • ତୈଳବୀଜ ପାଇଁ ‘ଆତ୍ମନିର୍ଭରତା’ ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଛି
  • ପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର୍ ଗୁଡ଼ିକୁ ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ବିକଶିତ କରାଯିବ
  • ଚିଙ୍ଗୁଡି ବ୍ରୁଡ ଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ପ୍ରଜନନ କେନ୍ଦ୍ରର ନେଟ୍‌ୱାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର, (ପିଆଇବି) : କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ ଡିଜିଟାଲ୍‌ ସାର୍ବଜନୀନ ଭିତ୍ତିଭୂମି, ତୈଳବୀଜ ପାଇଁ ‘ଆତ୍ମନିର୍ଭରତା’, ପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର ଏବଂ ଚିଙ୍ଗୁଡ଼ି ବ୍ରୁଡଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ପ୍ରଜନନ କେନ୍ଦ୍ରର ନେଟ୍‌ୱାର୍କ ନିମନ୍ତେ ଆର୍ଥିକ ସହାୟତା ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଲଟ୍ ପ୍ରକଳ୍ପର ସଫଳତାରେ ଉତ୍ସାହିତ ହୋଇ ସରକାର ରାଜ୍ୟମାନଙ୍କ ସହ ଭାଗିଦାରୀରେ ୩ ବର୍ଷ ମଧ୍ୟରେ କୃଷକ ଏବଂ ସେମାନଙ୍କ ଜମିକୁ ଅନ୍ତର୍ଭୁକ୍ତ କରିବା ପାଇଁ କୃଷିକ୍ଷେତ୍ରରେ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) କାର୍ଯ୍ୟକାରୀ କରିବାରେ ସହାୟକ ହେବେ । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ, ଚଳିତ ବର୍ଷ ୪୦୦ଟି ଜିଲ୍ଲାରେ ଡିପିଆଇ ବ୍ୟବହାର କରି ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ କରାଯିବ । ସେ କହିଛନ୍ତି ଯେ, ୬ କୋଟି କୃଷକ ଏବଂ ସେମାନଙ୍କ ଜମିର ବିବରଣୀ କୃଷକ ଏବଂ ଜମି ପଞ୍ଜୀକରଣରେ ଅଣାଯିବ । ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ୫ଟି ରାଜ୍ୟରେ ଜନ ସମର୍ଥ ଭିତ୍ତିକ କିଷାନ କ୍ରେଡିଟ୍ କାର୍ଡ ପ୍ରଚଳନ କରାଯିବ । ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ମିଶନ ଡାଲି ଓ ତୈଳବୀଜରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ସରକାର ଏହାର ଉତ୍ପାଦନ, ସଂରକ୍ଷଣ ଓ ମାର୍କେଟିଂକୁ ସୁଦୃଢ଼ କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ, ଅନ୍ତରୀଣ ବଜେଟରେ ଘୋଷଣା କରାଯାଇଥିବା ସୋରିଷ, ଚିନାବାଦାମ, ରାଶି, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭଳି ତୈଳବୀଜ ପାଇଁ ‘ଆତ୍ମନିର୍ଭରତା’ ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଛି । ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ପନିପରିବା ଉତ୍ପାଦନ ପାଇଁ ବ୍ୟାପକ କ୍ଲଷ୍ଟର ବିକଶିତ କରାଯିବ । ସେ କହିଥିଲେ ଯେ, ସରକାର ସଂଗ୍ରହ, ସଂରକ୍ଷଣ ଏବଂ ବିପଣନ ସମେତ ପନିପରିବା ଯୋଗାଣ ଶୃଙ୍ଖଳା ପାଇଁ କୃଷକ-ଉତ୍ପାଦକ ସଂଗଠନ, ସମବାୟ ଏବଂ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରୋତ୍ସାହିତ କରିବେ । ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନି ଚିଙ୍ଗୁଡ଼ି ବ୍ରୁଡଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟରର ନେଟ୍‌ୱାର୍କ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଏବଂ ରପ୍ତାନି ପାଇଁ ନାବାର୍ଡ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିବା ୯ଟି ଅଗ୍ରାଧିକାର କ୍ଷେତ୍ର ମଧ୍ୟରୁ କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ପ୍ରଥମ । ୨୦୨୪-୨୫ ବଜେଟ୍‌ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ‘ଅନ୍ନଦାତା’ (କୃଷକ)କୁ ୪ଟି ପ୍ରମୁଖ ଜାତି ମଧ୍ୟରୁ ଅନ୍ୟତମ ବୋଲି ବର୍ଣ୍ଣନା କରି ମନ୍ତ୍ରୀ କହିଥିଲେ ଯେ, ସରକାର ଏକ ମାସ ପୂର୍ବରୁ ସମସ୍ତ ପ୍ରମୁଖ ଫସଲ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।

Leave A Reply

Your email address will not be published.