- ମୁକୁଳା ଡ୍ରେନ ନେବ ଜୀବନ
- ଔଷଧ ଖାଇବା ପରେ ବି ବଢ଼ୁଛି ଫେଲେରିଆ
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ହେଉଥିବାରୁ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ଗତ ଦୁଇ ଦିନ ତଳେ ସ୍ଵାସ୍ଥ୍ୟ ବିଭାଗର ଏକ କେନ୍ଦ୍ରୀୟ ଟିମ ଦେଓଗାଁ ପଞ୍ଚାୟତକୁ ପରିଦର୍ଶନ କରି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡ଼ିଛି ବୋଲି କହି ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାଫଳରେ ଦେଓଗାଁରେ ପରିମଳ ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଲ ଭାବରେ ଏହି ଦୃଶ୍ୟ ଗୁଡ଼ିକୁ ଟିକେ ଦେଖନ୍ତୁ କିଭଳି ଭାବରେ ଡ୍ରେନ ପାଣି ରାସ୍ତା ଉପରେ ବହୁଛି । ଖାଲି ଏତିକି ନୁହେଁ ଏହି ଡ୍ରେନର କୀଟପୋକ ମଧ୍ୟ ଘର ଭିତରକୁ ପଶିଯାଇଥିବା ଦେଖାଦେଇଛି । ଦେଓଗାଁ – କଛାରପାଲି ଗାଁର ସାହୁପଡ଼ା, ରଣାପଡ଼ା, ଟାଙ୍ଗରପଡ଼ା, କନ୍ଧପାଲିପଡ଼ା ସହ ଗ୍ରାଜୁଏଟ ପଡ଼ାରେ ଥିବା ଡ୍ରେନଗୁଡ଼ିକ ଆବର୍ଜ୍ଜନାରେ ଭର୍ତ୍ତି ହୋଇରହିଛି । ପ୍ରତିବର୍ଷ ଏହି ଡ୍ରେନକୁ ସଫା କରୁଥିଲେ ବି ଠିକ୍ ଭାବରେ ତାହା ସଫା ହେଉନଥିବାରୁ ଡ୍ରେନ ପାଣି ରାସ୍ତା ଉପରେ ଜମା ହୋଇ ରହୁଛି । ଏବେ ଏହି ଡ୍ରେନ ପାଇଁ ଦେଓଗାଁରେ ମଶା ବଂଶ ବୃଦ୍ଧି ପାଉଛି ଓ ଫେଲେରିଆ ରୋଗ ଏହା ଦୃତଗତିରେ ବଢିଥିଲେ ବି କେଉଁ କାରଣରୁ ବଢ଼ୁଛି ତାହା ସନ୍ଦେହ ଜନକ ପରିସ୍ଥିତିରେ ରହିଛି । ଫଳରେ ଏବେ ଫେଲେରିଆକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଦେଓଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଦେଓଗାଁ ବ୍ଲକରେ ୯୮ ହଜାର ୩୨୦ ଜନ ସଂଖ୍ୟା ଥିବା ବେଳେ ସେଥିରୁ ଆଜି ପର୍ଯ୍ୟନ୍ତ ୮୫ ହଜାର ୭୩୪ ଲୋକଙ୍କୁ ଫେଲେରିଆ ଔଷଧ ଖାଇବାକୁ ଦିଆଯାଇଛି । ଯାହାକି ୮୭ ପ୍ରତିଶତ ହେଇଛି । ବ୍ଲକର ବିଭିନ୍ନ ଗାଁରେ ୪୨ଜଣ ଫେଲେରିଆ ରୋଗୀ ଥିବା ବେଳେ ଗତି ଦୁଇ ବର୍ଷ ୨୦୨୩ ଓ ୨୦୨୪ ବର୍ଷରେ ଲଗାତାର ଭାବରେ ଔଷଧ ଖାଇବା ପରେ ମଧ୍ୟ କଛାରପାଲି ଗାଁରେ ନୂଆ ଭାବରେ ୬/୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି । ଏନେଇ ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଚିତ୍ତରଂଜନ ମିଶ୍ରଙ୍କୁ ପଚାରିବାରୁ ଦେଓଗାଁ ବ୍ଲକର ସମସ୍ତ ଗାଁରେ ଫେଲେରିଆ ଔଷଧ ଖାଇବାକୁ ଦିଆଯାଉଛି, କିନ୍ତୁ ଦେଓଗାଁ-କଛାରପାଲି ଗାଁରେ ଏହି ରୋଗ ବଢିବାରେ ଲାଗିଛି ଡ୍ରେନ ମୁକୁଳା ଯୋଗୁଁ ମଶା ବଂଶ ବୃଦ୍ଧି ହେଉଛି ବୋଲି କହିଛନ୍ତି । ଡ୍ରେନ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ମୁକୁଳା ଡ୍ରେନକୁ ନେଇ ବ୍ଲକ ପ୍ରଶାସନ କି ପଦକ୍ଷେ ନେବ ତାହା ଉପରେ ନଜର ରହିଛି । ଅନ୍ୟପକ୍ଷରେ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇ ଗାଁ କଲ୍ୟାଣ ଓ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଅନୁଦାନ ଆସୁଥିଲେ ବି ତାହାକୁ କାଗଜପତ୍ରରେ ଖର୍ଚ୍ଚ କରିଯାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏପରି କି ଡ୍ରେନ ବ୍ୟବସ୍ଥାରେ ସୁଧାର ନ ଆସିଲେ ପଞ୍ଚାୟତକୁ ତାଲା ଦେଇ ଆନ୍ଦୋଳନ କରାଯିବା ବୋଲି କହିଛନ୍ତି ।