ବୋରୱେଲରୁ ଉଦ୍ଧାର ବୃଦ୍ଧା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲେ

ସୁବର୍ଣ୍ଣପୁର : ବୋରୱେଲରୁ ଉଦ୍ଧାର ବୃଦ୍ଧା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ବୋଲି ଡାକ୍ତର କହିଛନ୍ତି । ବୋରୱେଲ ଭିତରେ ବୃଦ୍ଧାଙ୍କ ପାଖରେ ଏକ ସାପ ଥିବା ବେଳେ ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ଏନେଇ ତଦନ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଗତକାଲି ରାତିରୁ ବୃଦ୍ଧା ଜଣକ ୨୦ ଫୁଟ ତଳେ ପଡ଼ିଯାଇଥିଲେ । ବୋରୱେଲରେ ଖସିପଡ଼ିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ମିଳିଥିବା ସୂଚନା ମୁତାବକ, ଗତକାଲି ବୃଦ୍ଧା ଦୁଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡ଼ିଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା । ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ଜଣାପଡ଼ିଥିଲା । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜୋର୍‌ସୋର୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୃଦ୍ଧାଙ୍କ ପାଖକୁ ଅକ୍ସିଜେନ୍ ମଧ୍ୟ ପଠାଯାଇଥିଲା । ଏନ୍‌ଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ ।

Leave A Reply

Your email address will not be published.