ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟର ପରମ୍ପରା ଗଞ୍ଜାମ ଜିଲ୍ଲା ଏକ ଗୌରବମୟ ଗାଥା ବହନ କରିଆସିଛି । ଯାହାର ଅଧ୍ୟାୟ ଭାରତ ଇତିହାସରେ ଲିପିବଦ୍ଧ ହୋଇଛି । ବହୁ ନଦନଦୀ, ସମୁଦ୍ର ଦେଇ କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନ ପାଇଁ ବିଶେଷ ଅନୁକୂଳ ଥିଲା । ଲହରିମାଳା ସମୁଦ୍ରର ରହସ୍ୟମୟ ଆହ୍ଵାନ ସାଧବପୁଅଙ୍କୁ ସମୁଦ୍ର ବକ୍ଷରେ ବୋଇତ ମେଲି ଦରିଆ ପାରି ପାଇଁ ପ୍ରେରଣା ଯୋଗାଇ ଆସିଥିଲା । ସେହି ସ୍ମୃତି ସାଉଁଟିବା ସକାଶେ ଏବଂ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଏକ ବ୍ୟାପକ ସମାରୋହର ଆୟୋଜନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟଅତିଥି ରୂପେ ଯୋଗଦାନ କରିବେ ବୋଲି ଜଣାଯାଇଛି । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି । ଏହି ପ୍ରସ୍ତୁତି ବୈଠକ ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଥିଲା । ତାହାକୁ ଆଧାର କରି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଚଳିତ ୧୫ ତାରିଖ ପ୍ରତ୍ୟୁଷରୁ ଅର୍ଥାତ୍ ପ୍ରାତଃ ଭୋରୁ ୩ଟା ସମୟ ଠାରୁ ପ୍ରାତଃ ୪ଟା ୩୦ ମିନିଟ୍ ସମୟରେ ଭଜନ ସମାରୋହ ଏବଂ ପ୍ରାତଃ ୫ ଘଣ୍ଟା ସମୟରେ ବୋଇତ ବନ୍ଦାଣ ଓ ତୋପୋଇ ସ୍ମରଣିକା ଓ ନାଟିକା ପରିବେଷଣ ଗୋପାଳପୁର ବେଳାଭୂମି ମହୋତ୍ସବ ସ୍ଥଳରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ନିମନ୍ତେ ପୋଲିସ ମୁତ୍ତୟନ, ପରିମଳ ବ୍ୟବସ୍ଥା ସଫେଇ ଓ ପାନୀୟ ଜଳଯୋଗାଣ, ବିଦ୍ୟୁତ ଯୋଗାଣ, ଅଗ୍ନିଶମ ନିରାପତ୍ତା, ମାଜିଷ୍ଟ୍ରେଟ୍, କର୍ମଚାରୀ ଓ ଅଧିକାରୀ ମୁତ୍ତୟନ ଇତ୍ୟାଦି ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଏହି ଉତ୍ସବ ଗୋପାଳପୁର ମହୋତ୍ସବ ମଞ୍ଚ ନିକଟରେ ରହିଥିବା ମୁହାଣ ସ୍ଥିର ଜଳରେ ବୋଇତ ବନ୍ଦାଣ କରାଯିବ । ଦୁଇ ଗୋଟି ନୌକା, ସୁସଜ୍ଜିତ ବୋଇତ, ସାଧବ ପୁଅ, ସାଧବ ବୋହୁ, ତଅପୋଇର କାହାଣୀକୁ ଆଧାରିତ ହୋଇ ନାଟିକା ପରିବେଷିତ ହେବ । ପ୍ରାତଃ ଭୋରୁ ୩ଟା ସମୟ ଠାରୁ ପ୍ରାତଃ ୪ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ । ସକାଳ ୫ଟା ସମୟରେ ସମ୍ମବେତ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ସାଧବ ପୁଅ, ସାଧବ ବୋହୁ, ତଅପୋଇର କାହାଣୀର ଚରିତ୍ରଙ୍କ ଗହଣରେ ଏହି ଉତ୍ସବ ହେବ । ମା’ ମଙ୍ଗଳାଙ୍କ ଆଳତୀ, ମା’ ଗଙ୍ଗାଙ୍କ ଆଳତୀ, ବିଜୟତିଳକ, ଶଙ୍ଖ ବାଦ୍ୟ, ହୁଳହୁଳି ୱନି, ଆତସବାଜି ଦ୍ଵାରା ଏହା ମହୋତ୍ସବ ଆୟୋଜନ ହେବ । ଏଥି ସହ ସ୍ମରଣିକା ‘ତଅପୋଇ’ ଉନ୍ମୋଚିତ ହେବ । ସକାଳ ୭ଟାରୁ ଚିତ୍ତାକର୍ଷକ ଲୋକନାଟକ ରାମାୟଣ କାହାଣୀ ରାମଲୀଳା ପରିବେଷଣ ସହିତ ସେହି ସମୟରେ ଝିଅ, ମା, ଭଉଣୀ ମାନଙ୍କ ଦ୍ଵାରା ଝୋଟି ଚିତା ଓ ହୁଳହୁଳି, ଓଡିଆଣୀ ବେଶ, ଓଡିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗୀତା ଆୟୋଜନ ହେବ । ଏହି ପ୍ରତିଯୋଗୀତା ସକାଳ ୭ଟା ସମୟ ମଧ୍ୟରୁ ୮ଟା ମଧ୍ୟରେ ଏକ ସମୟରେ ଅନୁଷ୍ଠିତ ହେବ । ଏଥିରେ ଅଂଶ ଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ । ସକାଳ ୧୦ଟା ସମୟରେ ପ୍ରତି ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ୧୦ଟା ୩୦ ମିନିଟ୍ ସମୟ ଠାରୁ ଉକ୍ତ ସ୍ଥାନରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଓ ଗଞ୍ଜାମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ଗବେଷକଗଣ ସେମାନଙ୍କ ଆଲୋଚନା ରଖିବେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।