
ଭୁବନେଶ୍ୱର, (କେପିଏନ୍ଏସ୍) : ଖଣ୍ଡଗିରି ମାଘ ମେଳା ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିବା ବେଳେ ଶନିବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଏମ୍ସି ସମେତ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଖଣ୍ଡଗିରି ମେଳା ଆୟୋଜନ କମିଟି କର୍ମକର୍ତ୍ତା ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଯାତ୍ରା ୨୮ ତାରିଖଠାରୁ ଆରମ୍ଭ ହୋଇ ୧୦ ଦିନ ଧରି ଚାଲିବ । ଚଳିତ ଥର ଯାତ୍ରାରେ ଅପେରାକୁ ଅନୁମତି ଦିଆଯାଇଛି । ୬ ଟି ପଡ଼ିଆରେ ଅପେରା ହେବାକୁ ଥିବା ବେଳେ ପାର୍କିଂ ପାଇଁ ୩ ଟି ସ୍ୱତନ୍ତ୍ର ପଡିଆ ଚିହ୍ନଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ମେଳାରେ ଅନୁପାଳନ କରିବାକୁ ନିର୍ଦେଶ ରହିଛି । ଅପେରାରେ ସାନିଟାଇଜର, ଦୁଇ ସିଟ ମଧ୍ୟରେ ବ୍ୟବଧାନ ଓ ମାସ୍କ ବ୍ୟବସ୍ଥା ରହିବ । ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ । ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ଵଛତା ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି । ଚଳିତ ଥର ପ୍ରାୟ ୪ ଶହଟି ଷ୍ଟଲକୁ ଅନୁମତି ଦିଆଯିବ । ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥା କମିଶନରେଟ ପୋଲିସ ପକ୍ଷରୁ କରାଯିବ । ମେଳାର ସୁପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଶ୍ରଦ୍ଧାଳୁଙ୍କ ଗହଣରେ ଓ ଅପେରାକୁ ଅନୁମତି ମିଳିଥିବାରୁ ଆୟୋଜକ କମିଟି ଚଳିତ ଥର ବହୁ ଭିଡ଼ ହେବା ଅନୁମାନ କରିଛି । ସେପଟେ ମେଳା ଆୟୋଜନ ପାଇଁ ବିଏମ୍ସି ପକ୍ଷରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ କମିଟି ପକ୍ଷରୁ ମେୟର ଓ କମିଶନରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।