pakka

ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ବିୟୋଗ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶିକ୍ଷାବିତ୍‌ ପୂର୍ବ ଆର୍‌ଇସି ଓ ବର୍ତ୍ତମାନର ଏନ୍‌ଆଇଟିର ପ୍ରାକ୍ତନ ଅଧ୍ୟକ୍ଷ, ଭାରତର ଜଣେ ଜଣାଶୁଣା ଧାତୁବିଜ୍ଞାନ ବିଶାରଦ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଗବେଷଣା ପାଇଁ ପ୍ରସିଦ୍ଧ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କର ସରଳ, ଅମାୟିକ ବ୍ୟବହାର ଓ ଉଚ୍ଚମାନର ଶିକ୍ଷା ପ୍ରଦାନର କୌଶଳ ଯୋଗୁଁ ସେ ତାଙ୍କ ଛାତ୍ରମହଲରେ ଖୁବ୍ ପ୍ରିୟପାତ୍ର ଥିଲେ । ୧୯୪୧ ମସିହା ଅକ୍ଟୋବର ୧ ତାରିଖ ଦିନ କଟକରେ ଜନ୍ମିତ ସ୍ବର୍ଗତ ମହାନ୍ତି ୧୯୬୧ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଧାତୁ ବିଜ୍ଞାନରେ ଇଂଜିନିୟରିଂ ସ୍ନାତକରେ ପାସ କରି ୧୯୬୩ ଯାଏଁ ସେଇ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ସେ କମନୱେଲଥ ସ୍କଲାରସିପ୍ ପାଇଁ ଇଂଲଣ୍ଡର ସେଫିଲ୍ଡ ବିଶ୍ବବିଦ୍ୟାଳୟରେ ଏମ୍ ଟେକ ଓ ପିଏଚ୍‌ଡି ଲାଭ କରିଥିଲେ । ଜୟପୁରର ମାଲବ୍ୟ ଇଂଜିନିୟରିଂ କଲେଜରେ ଅଳ୍ପ କିଛି ଦିନ ଅଧ୍ୟକ୍ଷ ପଦରେ ରହି ୧୯୬୮ରେ ରାଉରକେଲା ଆର୍‌ଇସିରେ ସହଯୋଗୀ ପ୍ରଫେସର ଭାବେ ଯୋଗଦେଇ ଥିଲେ । ୧୯୯୮ରେ ସେ ତତ୍କାଳୀନ ଆର୍‌ଇସିରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ଧାତୁବିଜ୍ଞାନ ଉପରେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ସ୍ତରରେ ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି । ସ୍ବର୍ଗତ ପ୍ରଫେସର ମହାନ୍ତି ରାଉରକେଲା ଅରବିନ୍ଦ ସ୍କୁଲର ନିର୍ଦ୍ଦେଶକ ପଦରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ସେ ଶ୍ରୀମା ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର, ରାଉରକେଲା ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟ ରହିଥିଲେ । ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ବହୁ ପୁରସ୍କାରରେ ସେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ମୃତ୍ୟୁସମୟରେ ତାଙ୍କ ସହଧର୍ମିଣୀ ଶିକ୍ଷାବିତ୍ ଡଃ ଜୋସ୍ନା ପଟ୍ଟନାୟକ, ପୁତ୍ର ପ୍ରଫେସର ଡଃ ସଂଜୀବ ମହାନ୍ତି, ପୁତ୍ରବଧୁ ଡଃ ସାଗରିକା ମହାନ୍ତି ଓ ନାତି ଉପସ୍ଥିତ ଥିଲେ । ତାଙ୍କ ଝିଅ ସୃଜନୀ ଓ ଜାମାତା ସଂଯୋଗ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପରିବାରବର୍ଗ ତଥା ସଂପୃକ୍ତ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.

one + seventeen =