ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଧୁମାଭଟା ଗୁରୁକୂଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାର ଠାରେ ମହାଆଡମ୍ବରରେ ୨୧ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ୨୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ବେଦ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ତପୋନିଷ୍ଠ ବୈଦିକ ବିଦ୍ୱାନ ଗୁରୁବର ଡ. ଆଚାର୍ଯ୍ୟ ଦେବବ୍ରତ, ସ୍ୱାମୀ ସୋମବେଶ ମହାରାଜା, ଓଟିଭିର ‘ସର୍ବେ ଭବନ୍ତୁ ସୁଖୀନ’ ତଥା ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଗୁରୁକୂଳ ଆଶ୍ରମର ପ୍ରତିଷ୍ଠତା ପଣ୍ଡିତ ସହଦେବ ଶାସ୍ତ୍ରୀଙ୍କ ଉପସ୍ଥିତିରେ ଓ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଆଶ୍ରମର ସମସ୍ତ କର୍ମକର୍ତ୍ତା ଆକ୍ଲାନ୍ତ ପରିଶ୍ରମ କରିବା ସଙ୍ଗେ ସଙ୍ଗେ ସମସ୍ତ ଭକ୍ତମାନଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ । ଉକ୍ତ ଆଶ୍ରମର ସପ୍ତର୍ଷି କୁଟୀର ନିର୍ମିତ ହୋଇଥିବା ବେଳେ ଉକ୍ତ କୁଟୀରରୁ ସମାଜସେବିକା ସ୍ୱର୍ଗତ ବିଜୟରାଣୀ ପରିଚ୍ଛାଙ୍କ ସ୍ମାରକୀ ରୂପେ ଓ ଅନ୍ୟ ୬ଟି କୁଟୀରକୁ ଡ. ଆଚାର୍ଯ୍ୟ ଦେବବ୍ରତ ଓ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଥିବା ବେଳେ ଉକ୍ତ ଉଦ୍ଘାଟନ ସ୍ଥାନରେ ପଣ୍ଡିତ ସହଦେବ ଶାସ୍ତ୍ରୀ, ତରୁଣ କୁମାର ପରିଚ୍ଛା ଓ ଅନ୍ୟାନ୍ୟ ଶହ ଶହ ଭକ୍ତ ଉପସ୍ଥିତ ଥିଲେ । ଉକ୍ତ ଆଶ୍ରମର ବଛା ବଛା ୭ ଜଣ କୃତି ଛାତ୍ରଙ୍କୁ ବିଶିଷ୍ଟ ସମାଜସେବିକା ସ୍ୱର୍ଗତ ବିଜୟାରାଣୀ ପରିଚ୍ଛାଙ୍କ ସ୍ମୃତି ସମ୍ମାନ ୨୦୨୧ ଟ୍ରଫି, ସାର୍ଟିଫିକେଟ ଓ ଆର୍ଥିକ ଅନୁଦାନ ତରୁଣ କୁମାର ପରିଚ୍ଛାଙ୍କକର କମଳରେ ଅର୍ପଣ କରାଯାଇଥିଲା ।