- ରବି ରଥ
ଓଡ଼ିଶାରେ ବାମପନ୍ଥୀ ଆଦର୍ଶକୁ ନେଇ ଜୀବନ ସାରା ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି ସାଜିଥିଲେ ଲଢ଼ୁଆ ନେତା ବିଶ୍ୱନାଥ ସାହୁ । ଛାତ୍ର ଆନ୍ଦୋଳନ ଠାରୁ ଆରମ୍ଭ କରି କୃଷକ ଓ ଶ୍ରମିକ ଆନ୍ଦୋଳନର ସେ ଥିଲେ ସୂତ୍ରଧର । ବିଶେଷକରି କୃଷକ ଓ ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ସେ ସବୁବେଳେ ଆନ୍ଦୋଳନର ନେତୃତ୍ୱ ନେଇ ଆସିଥିଲେ । ୧୯୨୫ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼କୁଶସ୍ଥଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ କମ୍ୟୁନିଷ୍ଟ ପାର୍ଟିକୁ ସୁଦୃଢ଼ କରିବାରେ ବିଶ୍ୱନାଥ ବାବୁଙ୍କ ଅବଦାନ ଥିଲା ଉଲ୍ଲେଖନୀୟ । ଅନେକ ଦିନ ଧରି ସେ ଗଞ୍ଜାମ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ସାଙ୍ଗଠନିକ କ୍ଷେତ୍ରରେ ନିଜର ପାରଦର୍ଶିତା ଯୋଗୁଁ ସେ ରାଜ୍ୟ କୃଷକ ସଭାର ସମ୍ପାଦକ ଏବଂ ପରେ ସଭାପତି ରୂପେ କାର୍ଯ୍ୟଭାର ତୁଲାଇଥିଲେ । ପରବର୍ତ୍ତି ସମୟରେ ସେ ଜାତୀୟ ପରିଷଦ ସଦସ୍ୟ ମନୋନୀତ ହୋଇଥିଲେ । ବିଶ୍ୱନାଥ ବାବୁ ଦୁଇ ଦୁଇ ଥର ଛତ୍ରପୁର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇ ଅଞ୍ଚଳର ବହୁ ଜନହିତକର କାର୍ଯ୍ୟ କରି ଯାଇଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଚମାଖଣ୍ଡି ହାଇସ୍କୁଲର ସେ ପ୍ରତିଷ୍ଠାତା ଥିଲେ । ସେ ସାମ୍ୟବାଦୀ ବିଚାରଧାରା ପ୍ରତି ଅଙ୍ଗୀକାରବଦ୍ଧ ଥିଲେ । ଜୀବନରେ ସେ କୌଣସି କ୍ଷେତ୍ରରେ ନିଜକୁ ସାଲିସ କରିନାହାନ୍ତି । ହାଇସ୍କୁଲରେ ଅଧ୍ୟୟନ ସମୟରେ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୪୩ ମସିହାରେ ଗଞ୍ଜାମ ଜିଲ୍ଲାରେ କମ୍ୟୁନିଷ୍ଟ ପାର୍ଟିର ମୂଳଦୂଆ ପଡ଼ିଥିଲା । ଆସିକାର ନେତା ହରିହର ଦାସ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ବିଶ୍ୱନାଥ ବାବୁ ୧୯୫୮ ମସିହାରେ ସିପିଆଇର ଗଞ୍ଜାମ ଜିଲ୍ଲା ସମ୍ପାଦକ ହୋଇଥିଲେ । ଏହି ପଦବୀରେ ସେ ୨୪ ବର୍ଷ ରହି ସକ୍ରିୟ ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶାରେ କୃଷକ ସଂଗଠନକୁ ସୁଦୃଢ଼ କରିବା ପାଇଁ ସେ ପ୍ରଚେଷ୍ଟା ଜାରି ରଖିଥିଲେ । କୃଷକ ସଂଗଠନ ଓ କମ୍ୟୁନିଷ୍ଟ ପାର୍ଟିର ବିଚାରଧାରାକୁ ପୁରପଲ୍ଲୀରେ ପହଞ୍ଚାଇଥିଲେ । ବିଭିନ୍ନ ସମୟରେ ସେ ଆନ୍ଦୋଳନର ନେତୃତ୍ୱ ନେଇ ୭ ବର୍ଷ ଜେଲ ଯାଇଥିଲେ । ସେ ନିନ୍ଦ୍ୱର୍ନ୍ଦରେ ଏକାଧିକବାର ସରପଞ୍ଚ ଓ ସମିତିସଭ୍ୟ ନିର୍ବାଚିତ ହୋଇ ନିଜ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ । ସେ ୧୯୭୭ ଓ ୧୯୮୦ ବିଧାନସଭା ନିର୍ବାଚନରେ ଛତ୍ରପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ କମ୍ୟୁନିଷ୍ଟ ପାର୍ଟିର ସ୍ଥିତିକୁ ବଜାୟ ରଖିଥିଲେ । ବିଶେଷକରି ବିଧାନସଭାରେ ସାଧାରଣ ଜନତାଙ୍କ ପାଇଁ ପ୍ରତିନିଧିତ୍ୱ କରି ବିଭିନ୍ନ ମୌଳିକ ସମସ୍ୟା ଉତ୍ଥାପନ କରି ରେକର୍ଡ ସୃଷ୍ଟି କରିପାରିଥିଲେ । ମୁଁ ଯେତେବେଳେ ଛତ୍ରପୁର ହାଇସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ଏଆଇଏସ୍ଏଫ୍ରେ ଯୋଗଦାନ କରିଥିଲି । ପରବର୍ତ୍ତି ସମୟରେ ଏଆଇଏସ୍ଏଫ୍ର ନେତୃତ୍ୱ ମଧ୍ୟ ନେଇଥିଲି । ସେତେବେଳୁ ବିଶ୍ୱନାଥ ବାବୁଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଥିଲା । ସେ ମୋ ବାପା ବୃନ୍ଦାବନ ରଥଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ । ଏପରିକି ଆମ ପରିବାର ସହିତ ସମ୍ପର୍କ ଘନିଷ୍ଠ ରହିଥିଲା । ୧୯୯୫ ଟାଟା ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କ ସହ ଆମେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲୁ । ମୁଁ ପ୍ରଜାତନ୍ତ୍ରରେ କାର୍ଯ୍ୟ କରୁଥିଲେ ମଧ୍ୟ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲି । ଜଣେ ଦେଶପ୍ରେମୀ ଭାବେ ଦେଶର ଉନ୍ନତି ସାଧନ ନିମନ୍ତେ ସେ ଜୀବନସାରା ଦେଶ ମାତୃକାର ସେବାରେ ନିଜକୁ ଜଳାଞ୍ଜଳି ଦେଇଥିଲେ । ଜଣେ ବାମପନ୍ଥୀ ଚିନ୍ତାଧାରାର ନିଷ୍ଠାପର ମାର୍ଗଦର୍ଶକ ଭାବରେ ଯୁବସମାଜର ପଥ ପ୍ରଦର୍ଶକ ଥିଲେ । ମୁଖ୍ୟତଃ ସାଧାରଣ ଜନତାଙ୍କ ଅଧିକାର ଓ ବିକାଶ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଚାଷୀଙ୍କ ମୌଳିକ ଅଧିକାର ପାଇଁ ଲଢେ଼ଇ କରିବା ସହ ଗରିବ, ଅସହାୟମାନଙ୍କ ଦରଦୀବନ୍ଧୁ ଥିଲେ । ତାଙ୍କ ଆବର୍ତ୍ତମାନରେ ଆଜି ଗଞ୍ଜାମ ଜିଲ୍ଲାର ବାମପନ୍ଥୀ ଆନ୍ଦୋଳନ ଦିଗହରା ହୋଇଯାଇଛି ।
ଉପସଭାପତି, ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ ସ୍ମୃତି କମିଟି
ନବୀନ ଭବନ, ବ୍ରହ୍ମପୁର-୭୬୦୦୧୦