ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ବିରୋଧ କରାଯାଇଥିବା ଜଣାଯାଇଛି । ଶନିବାର ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମ ରାମଲୀଳା ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗ ଗ୍ରାମକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ପ୍ଲାକାର୍ଡ ଦେଖାଇ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳର ତିନୋଟି ମୁଖ୍ୟ ସମସ୍ୟା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ସ୍ଥାୟୀ ବିଦ୍ୟୁତ ଯୋଗାଣ ଏବଂ ଡାକ୍ତରଖାନା ପାଇଁ ଗ୍ରାମବାସୀ ଲିଖିତ ଭାବରେ ପୂର୍ବରୁ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଏବଂ ବଲାଙ୍ଗିର ସ୍ଥିତ ସର୍କିଟ ହାଉସରେ ସାକ୍ଷାତ କରି ଦାବୀପତ୍ର ଦେଇଥିଲେ । ତେବେ ସେ ଦିଗରେ ମନ୍ତ୍ରୀ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ହୃଦବୋଧ କରିବା ପରେ ଅଭିମାନ ପୂର୍ବକ ମନ୍ତ୍ରୀଙ୍କୁ ବିରୋଧ କରିଥିବା ଜଣାଯାଇଛି । ପୂର୍ବରୁ ପୋଲିସ ଖବର ପାଇ ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୂପ ଗ୍ରାମର ଡିଲେଶ୍ୱର ସାହୁଙ୍କୁ ଉଠାଇ ନେଇ ଅଟକ ରଖିଥିଲା । କିନ୍ତୁ ଗ୍ରାମବାସୀ ପୋଲିସ ଉପସ୍ଥିତିରେ ସାହସର ସହିତ ମନ୍ତ୍ରୀଙ୍କ ସାମ୍ନା କରି ପ୍ଳାକାର୍ଡ ଦେଖାଇ ଦାବୀ ଉପସ୍ଥାପନ କରିଥିବା ଜଣାଯାଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।