ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ୨୫ ତାରିଖ ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ତଥା ପୁନଃ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏ ନେଇ ବଡ଼ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ଓ ସୋନପୁର ଉପ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୋନପୁର ରାଜବାଟୀ ଆଗରେ ଥିବା ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୁଙ୍କ ଦୀର୍ଘ ୪୨ ବର୍ଷ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନର ଭବ୍ୟ ଏହି ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୁବର୍ଣ୍ଣପୁର ସହର ଆଜିଠୁ ଚଳ ଚଞ୍ଚଳ ହୋଇ ଉଠିଛି । ଠାକୁର ନିଜ ମନ୍ଦିରକୁ ବିଜେ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ମରାମତି କରାଯିବାରୁ ମନ୍ଦିର ଝଲସି ଉଠୁଛି । ଭୁବନେଶ୍ୱର ସିବିଆଇ ମାଲଖାନାରୁ ସୋନପୁର କୋଷାଗାରକୁ ଅଣାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଗ୍ରହ ପ୍ରତିଷ୍ଠା ପାଇଁ ଦୀର୍ଘ ଏକ ମାସ ପୁର୍ବରୁ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଓ ପୁନଃ ପ୍ରତିଷ୍ଠା ପାଇଁ ଦେବୋତ୍ତର ବିଭାଗ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ଏହି ମନ୍ଦିରରେ ଡେରା ପକାଇଛନ୍ତି । ଜିଲ୍ଲାପାଳ, ଡ଼. ନୃପରାଜ ସାହୁ ମଧ୍ୟ ଅନେକ ଥର ମନ୍ଦିର ପରିଦର୍ଶନରେ ଯାଇ ପୁରୀ ମହନ୍ତ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ଠାରୁ ବିଭିନ୍ନ ପରାମର୍ଶ ନେଇଛନ୍ତି । ଏହି ଭବ୍ୟ ଉତ୍ସବ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଆଶଙ୍କାକୁ ନେଇ ଦେବୋତ୍ତର ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ୨୫ ତାରିଖରୁ ମାର୍ଚ୍ଚ ୧ ତାରିଖ ଯାଏଁ ଆଠ ଦିନ ଧରି ମହାପ୍ରଭୁ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାଲିବ । ପ୍ରକାଶ ଯେ ଏହି ୧୨ ଅଷ୍ଟ ଧାତୁ ନିର୍ମିତ ପ୍ରାଚୀନ ମୂର୍ତ୍ତି ସବୁକୁ ଫେରାଇ ଆଣିବା ଦିଗରେ କେବେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦୌ ତତ୍ପରତା ପ୍ରକାଶ ପାଇ ନ ଥିଲା । କିନ୍ତୁ ବର୍ତ୍ତମାନର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦୃଢ଼ ଇଚ୍ଛା ଓ ଉଦ୍ୟମ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ସିବିଆଇ ଅଦାଲତକୁ ଯାଇ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଗୋପାଳଜୀଙ୍କ ବିଗ୍ରହ ମୂର୍ତ୍ତିଙ୍କୁ ମାଲଖାନାରୁ ଗତ ଡିସେମ୍ବର ମାସରେ ଫେରାଇ ଆଣିଥିଲେ । ଆସନ୍ତାକାଲି ଜିଲ୍ଲା କୋଷାଗାରରୁ କଡ଼ା ସୁରକ୍ଷାରେ ଭବ୍ୟ ଶୋଭାଯାତ୍ରାରେ ମହାପ୍ରଭୂଙ୍କୁ ମନ୍ଦିର ଅଣାଯିବ । ଏ ଦୃଶ୍ୟ ଓ ପ୍ରଭୁଙ୍କ ଦର୍ଶନ ପାଇଁ ସହରବାସୀ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି । ଆସନ୍ତାକାଲି ୨୫ ତାରିଖରେ ସକାଳେ ଆରମ୍ଭ ହେବ କଳସ ଯାତ୍ରା, ଜଳଯାତ୍ରା ଓ ଦିବା ୧.୪୦ ଘଟିକା ସମୟରେ ବଡ଼ ଗୋପାଳଜୀ ବିଗ୍ରହ ମୂର୍ତ୍ତି ଅନ୍ୟ ପାର୍ଶ୍ଵ ଦେବଦେବୀ ବିଗ୍ରହ ମୂର୍ତ୍ତି ଗୁଡିକ ସହିତ ଜିଲ୍ଲା କୋଶାଗାରରୁ ବାହାରି ବଡ଼ ଗୋପାଳଜୀ ଠାକୁରଙ୍କ ମନ୍ଦିର ଅଭିମୁଖେ ଆଗମନ ଆରମ୍ଭ ହେବା । ୨୬ରେ ଯଜ୍ଞ ମଣ୍ଡପରେ ଥିବା ଦେବାଦେବୀଙ୍କର ପୂଜାର୍ଚ୍ଚନା, ୨୭ରେ ଯଜ୍ଞାରମ୍ଭ ସହ ଗୋପାଳ ସହସ୍ର ନାମଯଜ୍ଞ, ୨୮ରେ ରାଧା ସହସ୍ର ନାମଯଜ୍ଞ, ୨୯ରେ ବିଷ୍ଣୁ ସହସ୍ର ନାମଯଜ୍ଞ, ୩୦ରେ ଶିବ ସହସ୍ର ନାମ ଯଜ୍ଞ ଓ ୩୧ରେ ଗୀତାଯଜ୍ଞ ସମାପନ ପରେ ଫେବୃୟାରୀ ୧ରେ ପୂର୍ଣାହୁତି ସହ ଠାକୁରଙ୍କ ଗମ୍ଭୀରା ବିଜେ ଅନୁଷ୍ଠିତ ହେବ ବୋଲି ପୁରୀ ମହନ୍ତଙ୍କ ଦ୍ୱାରା କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଏହି ଭବ୍ୟ ଉତ୍ସବରେ ସହର ଓ ଜିଲ୍ଲାବାସୀ ସମସ୍ତେ ସାମିଲ ହୋଇ ଠାକୁରଙ୍କ ଦର୍ଶନ କରିବା ସହ ବିଭୁ କୃପା ଲାଭ କରିବାକୁ ଦେବୋତ୍ତାର ବିଭାଗ, ଶ୍ରୀ ବଡ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ମୁଖ୍ୟ ମହନ୍ତ ବଂଶୀଧର ଦାସ ମହାରାଜ ଓ କମିଟିର କର୍ମ କର୍ତ୍ତା ଅନୁରୋଧ କରିଛନ୍ତି । ଏହି ଉତ୍ସବ ସମ୍ପର୍କରେ ଶନିବାର ଅପରାହ୍ନ ୫.୩୦ ଘଟିକା ସମୟରେ ବଡ଼ ଗୋପାଳ ଜି ମନ୍ଦିର ପରିଚାଳନା କମିଟି ଓ ଉପ ଜିଲ୍ଲାପାଳ, ସୋନପୁରଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବିଶଦ ଭାବେ ବଡ଼ ଗୋପାଳଜୀ ମନ୍ଦିରର ମହନ୍ତ ଓ ଉପଜିଲ୍ଲାପାଳ, ଅବଗତ କରାଇଥିଲେ । ଏହି ଭବ୍ୟ ଉତ୍ସବ ଯୋଗଦାନ ସହିତ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣଙ୍କୁ ନିବେଦନ କରାଯାଇଛି ।