୧ ମାସରୁ ଅଧିକ ହେବ କଲରାକୋଠା ଗ୍ରାମରେ ବିଦ୍ୟୁତ ସରୋବରାହ ବନ୍ଦ ଥିବା ଅଭିଯୋଗ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତର ବଡ଼ କଲରାକୋଠା ଗ୍ରାମରେ ୧ ମାସରୁ ଅଧିକ ହେବ ବିଦ୍ୟୁତ ସରୋବରାହ ବନ୍ଦ ଥିବା ଅଭିଯୋଗ ହେଉଛି । ଗ୍ରାମରେ ୩୦ଟି ପରିବାର ରହୁଥିବା ବେଳେ ବିଦ୍ୟୁତ ନଥିବା ହେତୁ ସନ୍ଧ୍ୟା ହେଲେ ଡିବିରି ବତୀ ହିଁ ସେମାନଙ୍କ ପାଇଁ ଆଲୋକର ଉତ୍ସ ସାଜିଥିବା ଜଣାପଡିଛି । ସୂଚନା ଅନୁସାରେ ବର୍ତମାନ ବର୍ଷାଋତୁ ଚାଲିଥିବାରୁ ରାତିରେ ମଶାଙ୍କ ପ୍ରାଦୁର୍ଭାବ ଲୋକଙ୍କୁ ଅତିଷ୍ଠ କରୁଛି । ଜଙ୍ଗଲି ପରିବେଶ ଭିତରେ ରହୁଥିବାରୁ ପଦାକୁ ବାହାରିଲେ ସରୀସୃପ ତଥା ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ରହୁଛି । ଅନ୍ୟପଟେ ବିଦ୍ୟୁତ ଅଭାବରୁ ସନ୍ଧ୍ୟାରେ ପିଲାମାନେ ପାଠ ପଢି ପାରୁନଥିବା ଅଭିଯୋଗ ହେଉଛି । ଗ୍ରାମବାସୀ ଘଣ୍ଟାପଡା ବିଦ୍ୟୁତ ଷ୍ଟ୍ରକ୍ଚରକୁ ଯାଇ ସମସ୍ୟା ଜଣାଇବାରୁ ବିଭାଗ ତରଫରୁ ମରାମତି ହୋଇଥିଲା । କିନ୍ତୁ ଗୋଟିଏ ଦିନପରେ ପୁଣି ସେହି ଅବସ୍ଥା । ଆଜି ପର୍ଯ୍ୟନ୍ତ ଜଳୁନି ବିଜୁଳିବତୀ । ଦୀର୍ଘ ୫ ବର୍ଷ ହେବ ବଜ୍ରପାତ ଯୋଗୁଁ ସାନ କଲରାକୋଠାଠାରୁ ବଡ କଲରାକୋଠା ମଧ୍ୟରେ ରାସ୍ତା ନିକଟରେ ଗୋଟିଏ ବିଦ୍ୟୁତ ପୋଲ ନଷ୍ଟ ହୋଇଯାଇ ବିଦ୍ୟୁତ ତାର ବିପଦ ଅବସ୍ଥାରେ ଝୁଲି ରହିଥିବା ଅଭିଯୋଗ ହୋଇଛି । ପୋଲଟି କେତେ ବେଳେ ଭାଙ୍ଗି ପଡିବ ଏବଂ କାହା ପାଇଁ ବିପଦ ସୃଷ୍ଟି କରିବ ତାହା ନିସନ୍ଦେହ ବୋଲି ମତ ପ୍ରକାଶ ପାଉଛି । ଗାଁକୁ ୩ ଫେଜ ତାର ଯାଇଥିବା ବେଳେ ନଷ୍ଟ ହୋଇଥିବା ପୋଲ ଠାରୁ ଅନ୍ୟ ଏକ ପୋଲ ପର୍ଯ୍ୟନ୍ତ ଗୋଟିଏ ଫେଜ ତାର ବିଦ୍ୟୁତ କର୍ମଚାରୀମାନେ କାଟି ନେଇଛନ୍ତି । ଫଳରେ ବିଦ୍ୟୁତ ଆସିଲେ ବି ଗ୍ରାମରେ ଲୋ‐ଭୋଲଷ୍ଟେଜ ସମସ୍ୟା ରହୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । “ମାସେ ହେଲା ଆମର ଗାଁନେ ଲାଇନ ନାଇଁନ ; ବେଲ ବୁଡଲେ ଡିବିରି, ବଏଠା, ଜାଗର ଜାଲୁଛୁଁ” ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ସମସ୍ୟା ବିଷୟରେ ମନମୁଣ୍ଡା ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଅଧିକାରୀ ରାଜେଶ ସାହୁଙ୍କୁ ଯୋଗାଯୋଗ କରିବାରୁ ଅତିଶୀଘ୍ର ସଜାଡ଼ିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.