ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୟପାଟଣା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ୩୭ତମ ବାର୍ଷିକ ଉତ୍ସବ ଡିସେମ୍ବର ୨୩ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ଜୟପାଟଣା ପରିଚାଳନା ସମିତିର ସଭାପତି ସୁବାଷ ଚନ୍ଦ୍ର ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ନିମନ୍ତେ ଚରିତ୍ର ଗଠନ ଓ କର୍ତ୍ତବ୍ୟ ପରାୟଣତା ସହ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସଦସ୍ୟ ଓଡ଼ିଆ ସାହିତ୍ୟ ଏକାଡେମୀ ଡକ୍ଟର ପ୍ରଦୀପ କୁମାର ମିଶ୍ର ଯୋଗଦେଇ ଶିଶୁର ସର୍ବାଙ୍ଗୀନ ବିକାଶରେ ଅଭିଭାବକ, ଅଭିଭାବିକା ଓ ଗୁରୁଜୀ ଗୁରୁମାଙ୍କ ଭୂମିକା ଉପରେ ଉପସ୍ଥାପନା କରିଥିଲେ । ପରିଚାଳନା ସମିତିର ସମ୍ପାଦକ ସିଦ୍ଧାର୍ଥ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଶ୍ଵଜୀବନ ପାଢ଼ୀ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ କଥନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ସନ୍ତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ହେମନ୍ତ କୁମାର ମୁଣ୍ଡ, କୋଷାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର ଏବଂ ବିଶିଷ୍ଟ ସାମ୍ବାଦିକ ପ୍ରାଣ ରଂଜନ ବେହେରା, ମହମ୍ମଦ ଅଶ୍ରଫ ଅଲ୍ଲୀ, ଜଗମୋହନ ପଟ୍ଟନାୟକ, ପ୍ରବୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁଧାକର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଦକ୍ଷିଣ ସମ୍ଭାଗ ଶିକ୍ଷା ସୃଜନୀ ପ୍ରତିନିଧି ଗୋପାଳ କୃଷ୍ଣ ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବୋଚ୍ଚ ଉପସ୍ଥାନ, ସର୍ବୋଚ୍ଚ ପ୍ରାପ୍ତାଙ୍କ ଏବଂ ସର୍ବଶ୍ରେଷ୍ଠ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୬୦ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ଘୁମୁରା, ସମ୍ବଲପୁରୀ ନୃତ୍ୟ, ଦେଶାତ୍ମ ବୋଧକ ନୃତ୍ୟ ଏବଂ ସମାଜ ନିମନ୍ତେ ଉପାଦେୟ ନାଟକ ‘ବାଟ୍’ ଅତୀବ ପ୍ରାଣସ୍ପର୍ଶୀ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦ୍ଦେଶନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.