ସାଉନ୍ତମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକାଛିଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସାଉନ୍ତମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ଆୟୋଜିତ ସଭାରେ ଶିକାଛିଡା ସମିତି ସଭ୍ୟା ବିନୀତା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ମହାଦେବ ଦୀପ ସଭାପତିତ୍ୱ କରିଥିବା ବେଳେ ଏବିଇଓ ବଲାଙ୍ଗିର ସଦର ଉତ୍ତମ କୁମାର ନାୟକ ମୁଖ୍ୟବକ୍ତା, ଅସୁରଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ହରେକୃଷ୍ଣ ରଥ, ପ୍ରତାପପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓମ୍‌ ପ୍ରକାଶ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଷୟା ଧରୁଆ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ପୂର୍ବତନ ସିଆରସିସି ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପାଲଜୀ ଚୈାଧୁରୀ ସଭା ପରିଚାଳନା କରିଥିଲେ । ମଂଚାସୀନ ଅତିଥିବୃନ୍ଦ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟାନ୍ୟ ପ୍ରତିଯୋଗିତା ଗୁଡିକ ପୂର୍ବରୁ ଅନୁଷ୍ଠିତ ହୋଇସାରିଥିବାରୁ କେବଳ ନୃତ୍ୟ ପ୍ରତିଯୋଗିତାକୁ ଅତିଥିମାନଙ୍କ ସମ୍ମୁଖରେ ଛାତ୍ରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମିନୀ ମେହେର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୂର୍ବତନ ଛାତ୍ରୀଙ୍କୁ ମମତା ମହାକୁର ପୁରସ୍କାର ବିତରଣ ଓ ପ୍ରମାଣପତ୍ର ଲିଖନ କାର୍ଯ୍ୟରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପର୍ଣ୍ଣ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସୀମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.