କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି, ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ ସଚେତନତା ସଭା କରାଯାଉ : ବିଧାୟକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି ? ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ ସଚେତନତା ସଭା କରାଯାଉ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ଷଷ୍ଠତମ ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପିତ କରି ବିଧାୟକ କହିଛନ୍ତି ଯେ, ମୋ’ ସରକାର ଘରେ ଘରେ ପହଞ୍ଚିବା ଆବଶ୍ୟକ । ଯେକୌଣସି ଲୋକଙ୍କ ସମସ୍ୟା ସମାଧାନ ନ ହୋଇ ରହିବା ଦ୍ୱାରା ଲୋକେ ବିଶେଷ ପ୍ରଭାବିତ ହୋଇ ନାନା ହଇରାଣ ହରକତ ହେଉଛନ୍ତି । ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ଯୋଗାଣ ବିଭାଗ, ସାମାଜିକ ସୁରକ୍ଷା, ବିଦ୍ୟୁତ ବିଭାଗ ଆଦି ସମସ୍ତ ଲାଇନ ବିଭାଗ ସଭିଁଙ୍କୁ ଗ୍ରାମରେ ହିଁ ଲୋକଙ୍କ ସମସ୍ୟା ସମ୍ପନ୍ନ କରିବା ଆବଶ୍ୟକ ବୋଲି ସମିତି ବୈଠକରେ ଛତ୍ରପୁର ବିଧାୟକ କହିଛନ୍ତି ।
ରାସନକାର୍ଡ, ଗରୀବ କଲ୍ୟାଣ ଯୋଜନା, ମୋ’ ଘର, ଭତ୍ତା, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜନନୀ ସୁରକ୍ଷା, ଅଲ୍ଟ୍ରାସାଉଣ୍ଡ ଆଦି, ମତ୍ସ୍ୟ ଓ ପଶୁ ପାଳନ ବିଭାଗ ଋଣ ଯୋଜନା ଅବା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ସମ୍ପର୍କରେ ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନ କଲେ କି ଲାଭ ବୋଲି ଲାଇନ ବିଭାଗ ଅଧିକାରୀଙ୍କୁ କହିଛନ୍ତି ବିଧାୟକ । ଲୋକଙ୍କ ସମସ୍ୟା ଗ୍ରାମ ପଞ୍ଚାୟତରେ ହିଁ ସମାଧାନ କରି ଲୋକଙ୍କ ପ୍ରାପ୍ୟ ସମସ୍ତେ ଉପକୃତ ହେବା ଆବଶ୍ୟକ । ସେଗୁଡ଼ିକ ବିଷୟରେ ପଞ୍ଚାୟତ ସମିତି ବୈଠକ ବସିଲା ବେଳେ କ’ଣ କ’ଣ ସମାଧାନ ହୋଇଛି, ତାହା କହିଲେ ଆମେ ଖୁସି ହେବୁ ବୋଲି ସମିତି ସଦସ୍ୟଗଣଙ୍କ ସହ ବିଧାୟକ ଏକ ମତ ହୋଇ ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ ବିଭାଗ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ଅନେକ ଲୋକଙ୍କୁ ଭତ୍ତା ଜାନୁଆରୀ ମାସରୁ ମିଳୁନାହିଁ, ସେମାନଙ୍କର କମ୍ପୁଟରରେ କ’ଣ ତୃଟି ରହିଛି ତାହା ଗ୍ରାମ ପଞ୍ଚାୟତ ସଭାରେ ଗୋଟିଏ ଦିନ ଧାର୍ଯ୍ୟ ନିର୍ଦ୍ଧାରଣ କରି ଲୋକଙ୍କ ସମସ୍ୟା ବୁଝନ୍ତୁ ଓ ନିରୀକ୍ଷଣ କରି ସମାଧାନ କରନ୍ତୁ ବୋଲି କୁହାଯାଇଛି । ସମିତି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଓ ଯୋଗଣ ବିଭାଗ କାର୍ଯ୍ୟ ନେଇ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଆର୍ଯ୍ୟପଲ୍ଲୀ ଗାଁର ୮୦ରୁ ୯୦ ପ୍ରତିଶତ ସ୍ତ୍ରୀ-ପ୍ରସୂତି ବିଷୟ ନେଇ ଘରୋଇ ଡାକ୍ତରଖାନାରେ ଛୁଆ ଜନ୍ମ କରୁଥିବା ଉପସ୍ଥାପନକୁ ଆଲୋଚନା ଉଠି ସ୍ଵାସ୍ଥ୍ୟ ବିଭାଗ ରିପୋର୍ଟକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯେପରି ଅଧିକ ପ୍ରସୂତି ହୋଇପାରିବ ସେ ନେଇ ଅଙ୍ଗନାବାଡି ଆଶା ଦିଦି ଏବଂ ତଳସ୍ତରରେ ସ୍ୱାସ୍ଥ୍ୟକର୍ମୀମାନେ ବିଶେଷ ଅବଗତ ନଥିବାରୁ ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ବିଷୟରେ ମତ ଉଠିଥିଲା ।
ଅତ୍ୟାବଶ୍ୟକୀୟ ଖାଦ୍ୟ ଯୋଗାଣ ଅନ୍ତର୍ଗତ ଚାଉଳ ବସ୍ତାରେ କମ୍ ଓଜନ ପରିମାଣରେ ଚାଉଳ ରହୁଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ବଡ଼ମାଧପୁର ଅଞ୍ଚଳରେ ଉଠା ଜଳସେଚନ ପଏଣ୍ଟ୍ ଅଚଳଥିବା ନେଇ ଉପାଧ୍ୟକ୍ଷ ପ୍ରକାଶ କରିଥିଲେ । ରାସନ୍ କାର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ନେଇ କୁହାଯାଇଥିବା ବେଳେ ଆବଶ୍ୟକ ନଥିପତ୍ର ସମସ୍ୟା ଯୋଗୁଁ ଭତ୍ତା ପାଇପାରୁନଥିବା ବିଷୟ ଗୃହରେ କୁହାଯାଇଛି । ଯୋଗ୍ୟହିତାଧିକାରୀମାନଙ୍କୁ ଯେପରି ଭତ୍ତା ଦିଆଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।
ମୁନିସିପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ହେଉଛି ଏକ କେନ୍ଦ୍ର ସରକାରଙ୍କ ସେବା ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଥିଲେ । ତେବେ ଏହି ସେବାରେ ନିୟୋଜିତ ଠିକା-ଡ୍ରାଇଭର୍ ମୁନିସିପେଣ୍ଠ ଚିକିତ୍ସାଳୟରେ ରହୁନାହାନ୍ତି, ସେମାନେ ଛତ୍ରପୁରରେ ରହୁଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କୌଣସି କଥା ଶୁଣୁନାହାଁନ୍ତି ବୋଲି କୁହାଯାଇଛି । ଏନେଇ ଉଦବେଗ ପ୍ରକାଶ ପାଇଥିଲା । ଏ ଦିଗରେ ବ୍ଲକ ପ୍ରଶାସନ ଓ ଉପରିସ୍ଥ ଅଧିକାରୀଙ୍କ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ବ୍ଳକ୍ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍.ଶାରଦା ରେଡ୍ଡୀ, ବିଡିଓ ସୁଶାନ୍ତ କୁମାର ବରାଳ, ବିଧାୟକ ସୁବାଷଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ । ବୈଠକରେ ବ୍ଲକ୍ ଓ ପଞ୍ଚାୟତ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବ୍ଳକ୍ ଓ ପଞ୍ଚାୟତ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।