ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଜନ ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୌରପାଳିକାର ସମ୍ମିଳନୀ କକ୍ଷରେ ରଘୁନାଥପଲ୍ଲୀ କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ ଓ ବନ୍ଧମୁଣ୍ଡାରେ ଥିବା ବିଭିନ୍ନ ବସ୍ତି ମାନଙ୍କରେ ଥିବା ବିଦ୍ୟୁତ୍ ସେବା ପ୍ରଦାନ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଆବଶ୍ୟକ ମୌଳିକ ସମସ୍ୟାର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଆଗ୍ରହ କ୍ରମେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣି ଏହି ବୈଠକ ଡ଼କାଇଥିଲେ । ଏହି ବୈଠକରେ ଇସ୍ପାତ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପି. କେ. ସ୍ୱାଇଁ ଓ ମହାପ୍ରବନ୍ଧକ ଶ୍ରୀ ଯୋଜୋଙ୍କ ସହିତ ଟାଟା ପାୱାର କମ୍ପାନୀ ଓ ୱାଟକୋର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଵୟଂ ବିଧାୟକ ଉପସ୍ଥିତିରେ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ପ୍ରାୟ ୨୦୦ରୁ ଉର୍ଦ୍ଧ ବସ୍ତିବାସିନ୍ଦାଙ୍କ ପ୍ରତିନିଧି ମାନେ ଯୋଗଦେଇ ସେମାନଙ୍କ ସମସ୍ୟା ଉପସ୍ଥାପନା କରିଥିଲେ । ବିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବସ୍ତିରେ ବାହାରୁ ଥିବା ବର୍ଜ୍ୟ ଜଳ ନିଷ୍କାସନ ଉପରେ ବସ୍ତିବାସିନ୍ଦାମାନେ ନିଜ ନିଜର ସମସ୍ୟା ଉଠାଇ ଥିଲେ । ବର୍ଜ୍ୟ ଜଳ ନିଷ୍କାସନ ପାଇଁ କେତକ ବସ୍ତିରେ ନାଳ ନିର୍ମାଣ କରିବାର ଆବଶ୍ୟକତା ଓ ଆଉ କେତେ ଜାଗାରେ ନିର୍ମିତ ନାଳର ପୁନଃରୁଦ୍ଧାରର ଆବଶ୍ୟକତା ଉପରେ କହିଥିଲେ । ସମସ୍ତ ଉଠାଯାଇ ଥିବା ଅଭିଯୋଗର ତଦନ୍ତ କରାଯାଇ ସମାଧାନ କରିବେ ବୋଲି ଇସ୍ପାତ କାରଖାନା ଅଧିକାରୀ, ଟାଟା ପାୱାର ଓ ୱାଟକୋର ଉପସ୍ଥିତ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ଏହି ଭଳି ଜନଶୁଣାଣି ଇସ୍ପାତ ସହରାଞ୍ଚଳରେ କରିବା ପାଇଁ ବିଧାୟକ ତନ୍ତୀ ଇସ୍ପାତ କାରଖାନା ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ଜନଶୁଣାଣୀ ବୈଠକ ପ୍ରଥମଥର ଅନୁଷ୍ଠିତ ହୋଇଥିଲା ଓ ଏହା ଆଗକୁ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.