ଜିଲ୍ଲାର ଜଙ୍ଗଲ ଜମିକୁ ମାଡି ବସିଛନ୍ତି ଶିଳ୍ପନୁଷ୍ଠାନ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ଦାବିପତ୍ର ଦେଲେ ରେଙ୍ଗାଲି ବିଧାୟକ

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଥିବା ଶିଳ୍ପନୁଷ୍ଠାନ ଗୁଡିକ ବେଆଇନ ଭାବେ ଜଙ୍ଗଲ ଜମିକୁ ମାଡି ବସିଥିବା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ମଙ୍ଗଳବାର ରାତ୍ରି ୮ଟାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ବିଧାୟକ ସୁଧୀର ପାଟ୍ଟଯୋଶୀଙ୍କୁ ଦେଇଥିବା ଚିଠି ନମ୍ବର ୧୭/ଆର୍‌/ଓଏଲ୍‌ଏ /୨୬/ଏ/୨୫୨ ଅନୁସାରେ ସେ ଦାବୀ କରିଛନ୍ତି ଯେ, ବତ୍‌ର୍ତ୍ତମାନ ଝାରସୁଗୁଡା ଓ ପଡୋଶୀ ସମ୍ବଲପୁର ଜିଲ୍ଲାରେ ଶହେରୁ ଅଧିକ ଶିଳ୍ପନୁଷ୍ଠାନ ଦୀର୍ଘ ଦିନରୁ କାର୍ଯ୍ୟ କରି ଆସୁଥିବା ବେଳେ ବତ୍‌ର୍ତ୍ତମାନ ମଧ୍ୟ ବହୁ ଶିଳ୍ପନୁଷ୍ଠାନ ଗୁଡିକର କବଜାରେ ଶହ ଶହ ଏକର ଜଙ୍ଗଲ ଜମି ରହିଅଛି ଏବଂ ତାହାକୁ ସେମାନେ ବେଆଇନ ଭାବେ ବ୍ୟବହାର କରୁଛନ୍ତି । ଏହା ସହିତ ଉକ୍ତ ଜଙ୍ଗଲ ଜମିରେ ବେଆଇନ ପାର୍କିଂ, ରାସ୍ତା, ବେଆଇନ ନିର୍ମାଣ ଆଦି କାର୍ଯ୍ୟ କରି ଜଙ୍ଗଲ ଜମିକୁ ବ୍ୟବହାର କରୁଛନ୍ତି ଏବଂ ଜଙ୍ଗଲ ଜମିରେ ଥିବା ମୂଲ୍ୟବାନ ଗଛ ଗୁଡିକୁ ନଷ୍ଟ କରୁଛନ୍ତି । ଯାହାଦ୍ୱାରା ବନ ସଂରକ୍ଷଣ ଆଇନର ଅବମାନନା ହେବା ସହିତ ଜାତୀୟ ସମ୍ପତ୍ତି ନଷ୍ଟ ହେଉଛି । ନିରୀହ ଗ୍ରାମବାସୀମାନେ ଜଙ୍ଗଲରୁ କାଠ, ଔଷଧ ସଂଗ୍ରହରୁ ବଂଚିତ ହୋଇ ନିଜର ଜୀବିକା ହରାଇ ସାରିଛନ୍ତି । ଏହି ଘଟଣା ବିଷୟରେ ଦୁଇ ଜିଲ୍ଲାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନେ ନିରବ ରହିଥିବା ବେଳେ ଜଙ୍ଗଲ ବିଭାଗ ମଧ୍ୟ ଚୁପ ରହିଛି । ତେଣୁ ଏ ବିଷୟରେ ତଦନ୍ତ କରାଇବା ସହିତ ଜଙ୍ଗଲ ଜମି ବ୍ୟବହାର କରୁଥିବା କମ୍ପାନୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରେଙ୍ଗାଲି ବିଧାୟକ ହରିପାଲ ଷ୍ଟାଣ୍ଡିଙ୍ଗ କମିଟିକୁ ଦାବିପତ୍ର ଦେବା ସହ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.