ଭଞ୍ଜନଗର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

  • ତ୍ୟକ୍ତ ଜନତାଙ୍କ ରାସ୍ତାବରୋଧ ସହ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଭଞ୍ଜନଗର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଶନିବାର ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି । ଜେଲ୍‌ରେ ପୋଲିସ ତାଙ୍କୁ ମାଡ଼ ମାରି ମାରିଦେଇଛନ୍ତି, ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧୀନସ୍ଥ ତନରଡ଼ା ଗ୍ରାମର ଚରଣ ବେହେରା(୪୦) ସେ ଗୋଟିଏ ଚୋରି ମାମଲାରେ ଗିରଫ୍‌ ହୋଇ ବିଚାରାଧୀନରେ ଥିଲେ । ତାଙ୍କର ସ୍ତ୍ରୀ, ତିନି ପୁଅ, ଗୋଟିଏ ଝିଅ ଅଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶରୀରରେ ଅନେକ କ୍ଷତ ଥିବା ଜାଣି ତାଙ୍କ ପରିବାରଲୋକ ଚରଣକୁ ମାଡ଼ ମାରି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଉତ୍ୟକ୍ତ ଜନତା ତଥା ତନରଡ଼ା ଗ୍ରାମବାସୀ ବେଳଗୁଣ୍ଠା – ଭଞ୍ଜନଗର ଏବଂ ଭଞ୍ଜନଗର – ଭୁବନେଶ୍ୱର ମୁଖ୍ୟରାସ୍ତାକୁ ଦୀର୍ଘସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ରାତ୍ରୀ ସାଡ଼େ ୧୦ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚି ନ ଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଜନସାଧାରଣ କହିଛନ୍ତି । ଶେଷରେ ଘଟଣାସ୍ଥଳରେ ବେଲଗୁଣ୍ଠା ତହସିଲଦାର୍‌ ପହଞ୍ଚି ଲୋକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଶୁ ପଦକ୍ଷେପ ନେଇ ପରିସ୍ଥିତିକୁ ଆୟତ୍ତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.