କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ମାଧ୍ୟମରେ ପାରମ୍ପରିକ କିସମକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଆଗ୍ରହୀ : ସଚିବ ଡ. ଦେବେଶ ଚତୁର୍ବେଦୀ
• ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପାରମ୍ପରିକ କିସମର କୃଷି ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବର୍ଷା ଭିତ୍ତିକ ଅଞ୍ଚଳ ଉପରେ ଆଲୋଚନା ଓ ନୀତିଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ଅନୁଷ୍ଠିତ
• ଓଡ଼ିଶା ଓ ତାମିଲନାଡ଼ୁ ସମେତ ୧୦ଟି ରାଜ୍ୟର ସଫଳ ଚାଷୀ, ବିହନ ସଂରକ୍ଷକ ଓ ରାଜ୍ୟ ପ୍ରତିନିଧିମାନେ ସ୍ୱଦେଶୀ ବିହନ ପ୍ରଦର୍ଶନ କରି ସେମାନଙ୍କ ସଫଳତା ବଖାଣିଲେ
ନୂଆଦିଲ୍ଲୀର, (ପିଆଇବି) : ନୂଆଦିଲ୍ଲୀଠାରେ “ଜଳବାୟୁ ସହନଶୀଳ କୃଷି ପାଇଁ ପାରମ୍ପରିକ କିସମ ମାଧ୍ୟମରେ ବର୍ଷା ଜଳସେଚିତ ଅଞ୍ଚଳରେ କୃଷି-ଜୈବ ବିବିଧତାର ପୁନରୁଦ୍ଧାର” ଶୀର୍ଷକ ବହୁ-ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ସମ୍ବୋଧିତ କରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ର ସଚିବ ଡ. ଦେବେଶ ଚତୁର୍ବେଦୀ ପାରମ୍ପରିକ କିସମର କୃଷି ଏବଂ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ କୃଷି ଏବଂ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଯଥା ଏନ୍ଏମ୍ଏନ୍ଏଫ୍, କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ), ବିହନ ବିକାଶ କାର୍ଯ୍ୟକ୍ରମ ଏବଂ ଏନ୍ଏଫ୍ଏସ୍ଏମ୍ ମାଧ୍ୟମରେ ପାରମ୍ପରିକ କିସମର କୃଷିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ । ପାରମ୍ପରିକ କିସମର ମହତ୍ତ୍ୱ ବର୍ଣ୍ଣନା କରି ସେ କହିଥିଲେ ଯେ ଏଥିରେ ଉନ୍ନତ ସ୍ୱାଦ, ସୁଗନ୍ଧ, ରଙ୍ଗ, ରୋଷେଇର ଗୁଣବତ୍ତା ଏବଂ ପୁଷ୍ଟିକର ସମୃଦ୍ଧି ଇତ୍ୟାଦି ଅନନ୍ୟ ଗୁଣ ରହିଛି । ସେ ପରାମର୍ଶ ଦେଇଥିଲେ ଯେ ଏହି କିସମଗୁଡ଼ିକୁ କ୍ଲଷ୍ଟରରେ ଚାଷ କରାଯିବା ଉଚିତ ଏବଂ ଉଚ୍ଚ ମୂଲ୍ୟ ପ୍ରାପ୍ତି ପାଇଁ ବିକ୍ରୟ କରାଯିବା ଉଚିତ କାରଣ ଏପରି ଗୁଣକୁ ଭଲ ପାଉଥିବା ଅନେକ କ୍ରେତା ଅଛନ୍ତି । ସେ ଏପରି କ୍ରେତାଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଡକ୍ଟର ଫୈଜ ଅହମ୍ମଦ କିଦୱାଇ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ ଯୋଜନା ଦ୍ୱାରା ପୁଞ୍ଜିନିବେଶର ପ୍ରକାର ବିଶ୍ଳେଷଣ କରି ବର୍ଷା ଉପରେ ନିର୍ଭର କରୁଥିବା ଅଞ୍ଚଳକୁ ସମର୍ଥନ କରିବା ପାଇଁ ଜାତୀୟ ବର୍ଷା ସିଞ୍ଚିତ କ୍ଷେତ୍ର ପ୍ରାଧିକରଣ (ଏନ୍ଆର୍ଏଏ) ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟମାନଙ୍କୁ ଏହି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ଉତ୍ସାହିତ କରିବା । ଏଥିସହିତ ସେମାନଙ୍କ ଆବଶ୍ୟକତା ଓ ଦୁର୍ବଳତା ତୁଳନାରେ ନିବେଶର ପରିମାଣ ଯେପରି କମ୍ ହେବ ତାହା ମଧ୍ୟ ସୁନିଶ୍ଚିତ କରିବା । ଆଇସିଏଆର୍-ଆଇଆଇଓଆର୍ର ପୂର୍ବତନ ନିର୍ଦ୍ଦେଶକ ଡ. କେଏସ୍ ବରପ୍ରସାଦଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ପାରମ୍ପରିକ କିସମକୁ ସ୍ୱୀକୃତି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଦେଶରେ ପ୍ରାୟ ୫୦% ଅଞ୍ଚଳରେ ବର୍ଷା ଉପରେ ନିର୍ଭର କରାଯାଏ, ଯେଉଁଠାରେ କୃଷକମାନେ ଅନୌପଚାରିକ ବିହନ ପ୍ରଣାଳୀରୁ ପ୍ରାୟ ୬୦% ବିହନ ଆବଶ୍ୟକତା ପୂରଣ କରନ୍ତି । କୃଷକମାନଙ୍କୁ ଉପକୃତ କରିବା ପାଇଁ ମୁକ୍ତ କିସମ ଓ ପାରମ୍ପରିକ କିସମ ଏକାଠି ରହିପାରିବେ । ଆଇସିଏଆର୍-ଏନ୍ବିପିଜିଆର୍ର ନିର୍ଦ୍ଦେଶକ ଡ. କେଏସ୍ ବରପ୍ରସାଦ ଓ ଜ୍ଞାନେନ୍ଦ୍ର ସିଂହ ମୂଳ ସ୍ଥାନରେ ସଂରକ୍ଷଣର ଉପରେ ଆଲୋଚନା କରିଥିଲେ । ଏହି କିସମର ବ୍ୟବହାର ମାଧ୍ୟମରେ ସଂରକ୍ଷଣ ପାଇଁ ସରକାରୀ ନୀତିର ଅଧିକ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ଓ ତାମିଲନାଡ଼ୁ ସମେତ ୧୦ଟି ରାଜ୍ୟର ସଫଳ ଚାଷୀ, ବିହନ ସଂରକ୍ଷକ ଓ ରାଜ୍ୟ ପ୍ରତିନିଧିମାନେ ଦେଶୀ ବିହନ ପ୍ରଦର୍ଶନ କରିବା ସହ ପାରମ୍ପରିକ କିସମର ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ସଫଳତା ଓ ବିଫଳତାର କାହାଣୀ ବଖାଣିଥିଲେ । ଗୋଷ୍ଠୀ ଦ୍ୱାରା ପରିଚାଳିତ ବିହନ ବ୍ୟବସ୍ଥାକୁ ଆନୁଷ୍ଠାନିକ କରିବା, ଭିତ୍ତିଭୂମି ଓ ଏମ୍ଏସ୍ପିରେ ସରକାରୀ ସହାୟତାର ଆବଶ୍ୟକତା ଏବଂ ବିହନ ସଂରକ୍ଷଣ ପ୍ରୟାସରେ ତୃଣମୂଳ ସ୍ତରର ସଂଗଠନଗୁଡିକର ସମ୍ପୃକ୍ତି ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଅଧିକ ଅସୁରକ୍ଷିତ ହେଉଥିବା ବେଳେ ପାରମ୍ପରିକ କିସମ ଲୋପ ପାଉଥିବାରୁ ବର୍ଷା ଭିତ୍ତିକ ଅଞ୍ଚଳ ଉପରେ ଆଲୋଚନା ଓ ନୀତିଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା । ବ୍ୟବହାର ମାଧ୍ୟମରେ ପାରମ୍ପରିକ କିସମର ସଂରକ୍ଷଣର ଗୁରୁତ୍ୱ ଉପରେ ସମସ୍ତ ଅଂଶୀଦାର ଏକମତ ହୋଇଥିଲେ । ବୈଠକରେ ମତପ୍ରକାଶ ପାଇଥିଲା ଯେ, ବିବିଧତାର ପୁନରୁଦ୍ଧାର ଏବଂ ଏହାକୁ ମୁଖ୍ୟସ୍ରୋତକୁ ଆଣିବାରେ ରାଜ୍ୟଗୁଡ଼ିକ କିପରି ସମର୍ଥନ କରୁଛନ୍ତି ତାହାର ଉଦାହରଣ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ମିଳିଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିବା ପାଇଁ ଏକ ଆକ୍ସନ ପ୍ଲାନ୍ ଏବଂ ସୁପାରିସ ପ୍ରସ୍ତୁତ କରାଯାଇଥିଲା । ପାରମ୍ପରିକ କିସମକୁ ବଜାର ସହ ଯୋଡିବା ଏବଂ ପ୍ରାକୃତିକ କୃଷି ଯୋଜନାରେ ଏହାକୁ ପ୍ରୋତ୍ସାହିତ କରିବା ମଧ୍ୟ ସମ୍ଭବ । ଭାରତ ସରକାରଙ୍କ ଦ୍ୱାରା ଖଦଡ଼ ଶସ୍ୟ ବା ମିଲେଟର ପ୍ରୋତ୍ସାହନ ପାଇଁ ଆପଣାଯାଇଥିବା ରଣନୀତି ଉପରେ ନୀତି ନିର୍ଦ୍ଧାରଣ ବିଷୟରେ ଆଲୋଚନା ହୋଇଥିଲା । ଏହି ଉଦ୍ଦେଶ୍ୟ ପାଇଁ ଏନ୍ଆର୍ଏଏ ଏହାର ବିଚାରବିମର୍ଶ ପ୍ରକ୍ରିୟା ଜାରି ରଖିବ । ଭାରତର ୬୧% କୃଷକ ଦେଶର ୫୦% ଜମିରେ ବର୍ଷା ଭିତ୍ତିକ କୃଷି ଉପରେ ନିର୍ଭର କରୁଥିବାବେଳେ ଏହି ପ୍ରଣାଳୀକୁ ବଜାୟ ରଖିବାରେ ପାରମ୍ପରିକ କିସମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କର୍ମଶାଳା ଆଲୋକପାତ କରିଥିଲା । ମାଟିର ଉର୍ବରତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଦ୍ୱାରା ପରିଚିତ ବୃଷ୍ଟିପାତ ଅଞ୍ଚଳଗୁଡିକ ଅନୌପଚାରିକ ବିହନ ପ୍ରଣାଳୀ – କୃଷକ-କୃଷକ ବିନିମୟ ଏବଂ ଗୋଷ୍ଠୀ-ପରିଚାଳିତ ବିହନ ବ୍ୟାଙ୍କ ଉପରେ ଅଧିକ ନିର୍ଭର କରିଥା’ନ୍ତି । ଭାରତର ପ୍ରାୟ ଅଧା ବିହନ ଆବଶ୍ୟକତା ଏଭଳି ବ୍ୟବସ୍ଥା ମାଧ୍ୟମରେ ପୂରଣ ହୋଇଥାଏ, ଯାହା ସେଗୁଡ଼ିକର ସଂରକ୍ଷଣ ଏବଂ ପ୍ରୋତ୍ସାହନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ । ଜାତୀୟ ବର୍ଷା ସିଞ୍ଚିତ କ୍ଷେତ୍ର ପ୍ରାଧିକରଣ (ଏନ୍ଆର୍ଏଏ) ପକ୍ଷରୁ ରିଭିଟାଲାଇଜିଂ ରେନଫେଡ୍ ଏଗ୍ରିକଲ୍ଚର ନେଟୱର୍କ (ଆର୍ଆର୍ଏଏନ୍) ଏବଂ ଜଳଛାୟା ସହାୟତା ସେବା ଓ କାର୍ଯ୍ୟକଳାପ ନେଟୱର୍କ (ୱାସାନ୍)ର ମିଳିତ ସହଯୋଗରେ ନୂଆଦିଲ୍ଲୀରେ ଏହି ବହୁ-ଅଂଶୀଦାର ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ କରାଯାଇଥିଲା ।