- ନେତାଜୀ ହିଁ ସର୍ବପ୍ରଥମେ ଗାନ୍ଧୀଜୀଙ୍କୁ ‘ଜାତିର ଜନକ’ କହିଥିଲେ
- ବୀର ସୁରେନ୍ଦ୍ର ସାଏଙ୍କ ଜାତୀ ପ୍ରେମର ପଟାନ୍ତର ନାହିଁ
ଭୁବନେଶ୍ୱର : ସୁଭାଷ ଚନ୍ଦ୍ର ବୋଷ ଏମିତିରେ ହିଁ ଜଣେ ପ୍ରଚଣ୍ଡ ମେଧାବୀ, ପରାକ୍ରମୀ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରନାୟକ ଥିଲେ, ତାଙ୍କୁ ମହାନ୍ କହିବାକୁ ହେଲେ ଗାନ୍ଧୀଜୀଙ୍କୁ ଛୋଟ କରି ଦେଖାଇବାର ଆବଶ୍ୟକତା ନାହିଁ । ଭାରତୀୟ ଜାତୀୟ କଂଗ୍ରେସ ଭଳି ଧର୍ମନିରପେକ୍ଷ ଦଳର ଏକଦା ଦୁଇଥର ସଭାପତି ନିର୍ବାଚିତ ହୋଇଥିବା ନେତାଜୀ ଭାରତୀୟ ଜନମାନସରେ ଏତେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ଯେ ତାଙ୍କ ଖାତିରରେ ମିଛର ସାହାଯ୍ୟ ନେବା ଦରକାର ନାହିଁ । ତେବେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ରାଷ୍ଟ୍ରପିତାଙ୍କ ବିରୋଧରେ ଅଯଥା ବ୍ୟାଖ୍ୟାନ ସୃଷ୍ଟି କରିବାରେ ବିଜେପି ଲାଗିପଡିଛି । ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର କଲେଜ ଛକ କୋଶଳ ନଗର ଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଯୋଗଦେଇ ପିସିସି ମିଡ଼ିଆ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ସବୁବେଳେ ପାରସ୍ପରିକ ସମ୍ମାନ ରହି ଆସିଥିବା ବେଳେ ସେମାନଙ୍କ ସମ୍ପର୍କକୁ କଦର୍ଥ କରିବା ଚେଷ୍ଟା ନିନ୍ଦନୀୟ । ନେତାଜୀ ହିଁ ଯେ, ଗାନ୍ଧୀଜୀଙ୍କୁ ସର୍ବପ୍ରଥମେ ‘ରାଷ୍ଟ୍ରପିତା’ ସମ୍ବୋଧନ କରିଥିଲେ, ଏହା ଉକ୍ତ କୁତ୍ସାରଟନାକାରୀ ମାନେ ଏହା କହନ୍ତି ନାହିଁ କାହିଁକି ? ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କଲେଜ ଛକ ଅଞ୍ଚଳର ବନ୍ଧୁମାନଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଶ୍ରୀ ଦାସ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱର ଗାଥା ସ୍ମରଣ କରାଇ ଦେଇଥିଲେ । ନବଗଠିତ ବଲାଙ୍ଗିର ଡିସିସିର ଅନ୍ୟତମ ଉପସଭାପତି ଓ ସମ୍ପାଦକ ଭାବେ ଯଥାକ୍ରମେ ଭଞ୍ଜକିଶୋର ନାଗ ଓ ନିଶାରକାନ୍ତ ନାଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରୁପେଶ କୁମାର ନାଗଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ହୁସେନ ନାଗ, ସରୋଜ ଛତ୍ରିଆ, ବିଜୟ ତାଣ୍ଡି, ସୁଜିତ ନାଗ (ମଜନୁ), ଜ୍ୟୋତିରାଜ ନାଗ ଓ ସୁବନ ବାଗ ପ୍ରମୁଖ ମଞ୍ଚାସୀନ ହେବା ସହ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।